Fri. Jun 12th, 2026

ପ୍ରେମିକ ଦୁଆରେ ୮ ଦିନ ହେଲା ଅନଶନ

226 Views

ପର୍ଜଙ୍ଗ : ଦିନେ ନୁହେଁ, ବର୍ଷେ ନୁହେଁ। ଦୀର୍ଘ ଛଅ ବର୍ଷର ନିବିଡ଼ ସଂପର୍କ। ପରିବାର ଚାପରେ କିନ୍ତୁ ପ୍ରେମିକ ଏକା ଛାଡ଼ି ଚାଲିଗଲେ। ପ୍ରେମିକା କିନ୍ତୁ ନଛୋଡ଼ବନ୍ଦା। ସେ ଥାନାରେ ଏହା ଜଣାଇବା ସହ ପତ୍ନୀ ମାନ୍ୟତା ଦାବିରେ ପ୍ରେମିକ ବାରଣ୍ଡାରେ ୮ ଦିନ ହେଲା ଅନଶନ ଚଳାଇଛନ୍ତି। ପର୍ଜଙ୍ଗ ଥାନା ଇଲାକାର ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଥାନା ଅଞ୍ଚଳର ୨୨ ବର୍ଷୀୟା ଯୁବତୀ ମମତା(ଛଦ୍ମନାମ)ଙ୍କ ସହ ବଡ଼ଝରା ଗାଁ ଆଶ୍ରମସାହିର ବାଲିଆ ସିଂହ(୨୬)ଙ୍କର ଛଅ ବର୍ଷ ହେଲା ପ୍ରେମ ସଂପର୍କ ରହିଛି। ବାଲିଆ ହାଇଦ୍ରାବାଦରେ କୌଣସି ଦୋକାନରେ କାମ କରୁଛନ୍ତି। ମମତାଙ୍କୁ ହାଇଦ୍ରାବାଦ ନେଇଯିବେ ବୋଲି କହି ବାଲିଆ ୮ ଦିନ ତଳେ ତାଙ୍କୁ ଡାକିଆଣିଥିଲେ। ମମତା ଭରସା କରି ବାଲିଆଙ୍କ ଘରକୁ ଆସ‌ିଲେ। କିନ୍ତୁ ଉଭୟଙ୍କର ଜାତି ଭିନ୍ନ ହୋଇଥିବାରୁ ବାଲିଆଙ୍କ ପରିବାର ସଦସ୍ୟ ଏହାର ବିରୋଧ କରିଥିଲେ। ପରିବାର ଚାପରେ ମୁଣ୍ଡ ନୁଆଁଇ ବାଲିଆ ମମତାଙ୍କୁ ଛାଡ଼ି ହାଇଦ୍ରାବାଦ ପଳାଇଛନ୍ତି। ଯେହେତୁ ମମତା ନିଜ ଘରୁ ଗୋଡ଼ କାଢ଼ିଛନ୍ତି, ଲୋକଲଜ୍ଜା ଯୋଗୁଁ ସେ ନିଜ ପରିବାରକୁ ଫେରି ପାରୁନାହାନ୍ତି। ନଖାଇ ନପିଇ ୮ ଦିନ ହେଲା ବାଲିଆଙ୍କ ବାରଣ୍ଡାରେ ବସି ରହିଛନ୍ତି। ତାଙ୍କର ଗୋଟିଏ ଦାବି – ପତ୍ନୀର ମାନ୍ୟତା ମିଳୁ। ମମତାଙ୍କ ବାପଘରର ଆର୍ଥିକ ଅବସ୍ଥା ଭଲ ନୁହେଁ। ଝିଅର ଏଭଳି ପରିସ୍ଥିତିରେ ମମତାଙ୍କ ବାପା, ମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏ ସଂପର୍କରେ ଥାନାକୁ ଯୋଗାଯୋଗ କରିବାରୁ ବାଲିଆଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି ବୋଲି ପୁଲିସ କହିଛି।

By amfnews

Related Post