Fri. Sep 11th, 2026

ପ୍ରବାସୀ ଶ୍ରମଜୀବୀଙ୍କ ପରିବହନ ନିମନ୍ତେ ଆଜି ଠାରୁ ସପ୍ତାହକ ପାଇଁ ଦୈନିକ ୪୦ଟି ଟ୍ରେନ୍ ଚଳାଇବ

230 Views

ହାଇଦ୍ରାବାଦ: କୋଭିଡ୍-୧୯ ଯୋଗୁଁ ଅଟକି ରହିଯାଇଥିବା ପ୍ରବାସୀ ଶ୍ରମଜୀବୀଙ୍କ ଘରବାହୁଡ଼ା ନିମନ୍ତେ ରେଳବାଇ ଆଜି ଠାରୁ ତେଲେଙ୍ଗାନାରୁ ଦେଶର ବିଭିନ୍ନ ସ୍ଥାନକୁ ୪୦ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଇବ। ତେଲେଙ୍ଗାନା ସରକାରଙ୍କ ଅନୁରୋଧକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ରାଜ୍ୟ ସରକାରଙ୍କ ତରଫରୁ ପ୍ରବାସୀ ଶ୍ରମିକଙ୍କ ଯାତ୍ରା ନିମନ୍ତେ ବନ୍ଦୋବସ୍ତ କରିବାକୁ ସୋମବାର ରାତିରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ହାଇଦ୍ରାବାଦର କେତେକ ଷ୍ଟେସନ୍ ଛଡ଼ା ୱାରାଙ୍ଗଲ୍, ଖାମ୍ମାମ୍, ଦମରଚର୍ଲା ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନ‌ରେ ଥିବା ଷ୍ଟେସନରୁ ଏହି ଟ୍ରେନ୍‌ଗୁଡ଼ିକ ଚଳାଚଳ କରିବ। ତେଲେଙ୍ଗାନାରୁ ବାହାରୁଥିବା ଏହି ଟ୍ରେନ୍‌ଗୁଡ଼ିକ ବିହାର, ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଅନ୍ୟାନ୍ୟ ରାଜ୍ୟକୁ ଯିବ ବୋଲି ଏକ ରିଲିଜ୍‌ରୁ ଜଣାପଡ଼ିଛି।

ସେଥିରେ ଆହୁରି ଉଲ୍ଲେଖ ଅଛି ଯେ ମୁଖ୍ୟମନ୍ତ୍ରୀ ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ଜେନେରାଲ୍ ମ୍ୟାନେଜର୍ ଗଜାନନ ମାଲ୍ଲ୍ୟାଙ୍କ ସହ କଥାବାର୍ତ୍ତା ହୋଇ ମଙ୍ଗଳବାର ଠାରୁ ୪୦ଟି ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ।

ଘରବାହୁଡ଼ିବାକୁ ଯେଉଁ ପ୍ରବାସୀ ଶ୍ରମିକମାନେ ସ୍ଥାନୀୟ ଥାନାମାନଙ୍କରେ ନାମ ପଞ୍ଜିକରଣ କରିଥିବେ ସେମାନଙ୍କୁ ଏହି ସ୍ବତନ୍ତ୍ର ଟ୍ରେନ୍‌ରେ ଯାତ୍ରା କରିବାକୁ ଅନୁମତି ମିଳିବ। ଯାତ୍ରା ସମ୍ବନ୍ଧୀୟ ପୂର୍ଣ୍ଣ ବିବରଣୀ ଥାନାମାନଙ୍କରୁ ମିଳିପାରିବ।

By amfnews

Related Post