Thu. Jul 2nd, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ବାୟୋପିକ୍‌ ଉପରେ ଆଗତ ମାମଲାକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

374 Views

ନୂଆଦିଲ୍ଲୀ: ‘ମାତ୍ର ଦୁଇ-ମିନିଟର ପ୍ରମୋକୁ ଦେଖି କୌଣସି ଚଳଚ୍ଚିତ୍ର ସଂପର୍କରେ କୌଣସି ଧାରଣା କରି ହେବ ନାହିଁ କିମ୍ବା ଶେଷ ନିଷ୍କର୍ଷରେ ପହଞ୍ଚି ହେବ ନାହିଁ’, ବୋଲି ମନ୍ତବ୍ୟ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ରିଲିଜ୍‌ ଉପରେ ରହିତାଦେଶ ଜାରି କରିବା ପାଇଁ ସୁପ୍ରିମ୍‌ କୋର୍ଟ ମନା କରି ଦେଇଛନ୍ତି। ଏଥିସହ ଏହି ବାୟୋପିକ୍‌ ନିର୍ବାଚନ ପୂର୍ବରୁ ରିଲିଜ୍‌ ହେବ ନା ନାହିଁ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିର୍ବାଚନ କମିଶନ ଗ୍ରହଣ କରିବେ ବୋଲି କହି ଆଗତ ମାମଲାକୁ ଆଜି ଖାରଜ କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟ।

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ରିଲିଜ୍‌ ଉପରେ ରହିତାଦେଶ ଜାରି କରିବା ପାଇଁ ଆଗତ ମାମଲାର ଶୁଣାଣି କରି କହିଛନ୍ତି ଯେ ଏଯାବତ୍‌ ଏହି ଚଳଚ୍ଚିତ୍ରକୁ ସେନ୍‌ସର ବୋର୍ଡ ରିଲିଜ୍‌ ପାଇଁ ସାର୍ଟିଫିକେଟ ପ୍ରଦାନ କରି ନଥିବା ବେଳେ ଏହି ଚଳଚ୍ଚିତ୍ର ଉପରେ ରହିତାଦେଶ ଜାରି କରିବାର ଯଥାର୍ଥତା ବା ଆବଶ୍ୟକତା ନାହିଁ।

ତେବେ, ଆଜିର ଶୁଣାଣି କାଳରେ ଏହି ମାମଲାର ଆଗତକାରୀ କଂଗ୍ରେସ ଦଳ ମୁଖପାତ୍ର ଅମନ ପନଓ୍ଵରଙ୍କ ତରଫରୁ ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଇନ୍‌ଜୀବୀ ଅଭିଷେକ ମନୁ ସିଂହଭୀ ଅଦାଲତଙ୍କୁ କହିଥିଲେ ଯେ ଏହି ଚଳଚ୍ଚିତ୍ରରେ ଅନେକ ବିବାଦୀୟ ଓ ଆପତ୍ତିଜନକ ବିଷୟ ରହିଛି ଏବଂ ଏହା ଅବାଧ ଓ ମୁକ୍ତ ନିର୍ବାଚନକୁ ପ୍ରଭାବିତ କରିବ। ତେବେ, ଅଦାଲତ କହିଥିଲେ ଯେ ଏହି ଚଳଚ୍ଚିତ୍ରକୁ ସେନସର ବୋର୍ଡ ସାର୍ଟିଫିକେଟ ପ୍ରଦାନ କରି ନଥିବା ବେଳେ ଏବଂ ଏହି ଚଳଚ୍ଚିତ୍ର ରିଲିଜ୍‌ ହୋଇ ନଥିବା ବେଳେ ଏପରି ଆଶଙ୍କା ଅମୂଳକ। ଯଦି ଏହି ଚଳଚ୍ଚିତ୍ର ମୁକ୍ତ ଓ ଅବାଧ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଆବେଦନକାରୀ ଆଶଙ୍କା କରୁଛନ୍ତି, ତେବେ ସେ ଏଥିପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରନ୍ତୁ ବୋଲି କହି ଏହି ମାମଲାକୁ ଖାରଜ କରି ଦେଇଛନ୍ତି ।

By amfnews

Related Post