Mon. Jul 27th, 2026

ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌କୁ ମେଲ୍‌ କଲେ ପୁଣେର ଲୋକ: ପୃଥିବୀ ସମ୍ପର୍କରେ ସୂଚନା ପଠାଉଥିବା ବାହ୍ୟଜାଗତିକ ଜିନିଷ ଦେଖିଲି

319 Views

ପୁଣେ, ଡିସେମ୍ବର ୨୮ : ନିଜ ଘର ବାହାରେ ଗୋଟିଏ ବାହ୍ୟ ଜଗତ୍‌ ଜିନିଷ ଦେଖିଲି ବୋଲି ଦାବି କରି ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇ-ମେଲ୍‌ କରିବା ପରେ ପୁଲିସମାନଙ୍କୁ ଅଯଥା ଖୋଜାଖୋଜି ନିମନ୍ତେ ପଠାଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉକ୍ତ ଚିଠିକୁ ମହାରାଷ୍ଟ୍ର ସରକାରଙ୍କୁ ପଠାଇ ଦେବା ପରେ ଘଟନାର ତଦନ୍ତ କରିବାକୁ ପୁଲିସକୁ ନିର୍ଦେଶ ଦିଆଯାଇଥିବା କଥା ସିଂଘଡ଼ ରୋଡ୍‌ ଥାନାର ଜଣେ ଅଧିକାରୀ କହିଛନ୍ତି।

ତଦନ୍ତ ପରେ ସେ ଲୋକଟିକୁ ପୁଲିସ ଠାବ କରିଛି। ୪୭ ବର୍ଷିୟ ସେ ଲୋକ ଜଣକ ମାନସିକ ବିକୃତ ବୋଲି ଗୁରୁବାର ଦିନ ପୁଲିସ କହିଛି।

କିଛି ବର୍ଷ ତଳେ ଉକ୍ତ ଲୋକଟିର ବ୍ରେନ୍‌ ହାମୋରେଜ୍‌ ହୋଇଥିଲା ଏବଂ ସେବେଠାରୁ ସେ ମାନସିକ ଭାରସାମ୍ୟ ହରାଇଛନ୍ତି। ଦୁଇ ମାସ ତଳେ ସେ ତାଙ୍କ ବଙ୍ଗଳା ବାହାରେ ଥିବା ଏକ ଗଛରେ ଅଲୋକ ଦେଖି ଭାବିଲେ ତାହା କୌଣସି ବାହ୍ୟଜାଗତିକ ବସ୍ତୁରୁ ଆସୁଛି।

ସେ ନିଶ୍ଚିତ ହୋଇଗଲେ ଯେ ଏହି ବାହ୍ୟଜଗତ୍‌ର ଚିଜଟି ପୃଥିବୀ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନିଜ ଗ୍ରହକୁ ପ୍ରେରଣ କରୁଛି। ଏହାର ତଦନ୍ତ ଲାଗି ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟକୁ ତୁରନ୍ତ ଇ-ମେଲ୍‌ ପଠାଇ ଦେଇଥିଲେ।

ସେ ଏଭଳି ଇ-ମେଲ୍‌ ପଠାଇଥିବା କଥା ତାଙ୍କ ପରିବାର ଲୋକେ ବି ଜାଣି ନ ଥିଲେ ବୋଲି ପୁଲିସ କହିଛି।

By amfnews

Related Post