Wed. Aug 5th, 2026

ପ୍ରଥମ ସନ୍ତାନ ଅପେକ୍ଷାରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଓ ପ୍ରେମିକା କେରି ସାଇମଣ୍ଡ୍‌ସ୍‌

255 Views

ଲଣ୍ଡନ୍‌: ଶନିବାର ସନ୍ଧ୍ୟାରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଓ ପ୍ରେମିକା କେରି ସାଇମଣ୍ଡ୍‌ସ୍‌ ସେମାନଙ୍କର ନିର୍ବନ୍ଧ କଥା ଘୋଷଣା କରିଛନ୍ତି। ଏହାଛଡ଼ା ଗ୍ରୀଷ୍ମଋତୁ ପ୍ରାରମ୍ଭରେ ସେମାନଙ୍କର ସନ୍ତାନଟିଏ ହେବ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଜନ୍‌ସନ୍‌ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କ୍ଷମତାରେ ଥିବା ସମୟରେ ଛାଡ଼ପତ୍ର ଦେଇ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି।

ଜନ୍‌ସନ୍‌ ଏବଂ ତାଙ୍କ ଭାରତୀୟ ବଂଶୋଦ୍ଭବ ଦ୍ୱିତୀୟ ପତ୍ନୀ ମେରିନା ହ୍ଵିଲର୍‌ଙ୍କର ଖୁବ୍‌ ଶୀଘ୍ର ଛାଡ଼ପତ୍ର ହୋଇଯିବ। ଏଥିପାଇଁ ଉଭୟଙ୍କ ମଧ୍ୟରେ ଆର୍ଥିକ ବୁଝାମଣା ମଧ୍ୟ ଶେଷ ହୋଇଛି।

ଜୁଲାଇ ୨୦୧୯ରେ ପ୍ରଧାନମନ୍ତ୍ରୀ ହେବା ପରେ ୫୫ ବର୍ଷିୟ ଜନ୍‌ସନ୍‌ ଏବଂ ୩୧ ବର୍ଷୀୟ ସାଇମଣ୍ଡ୍‌ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ରେ ବସବାସ କରୁଛନ୍ତି।
ଏହା ହେଉଛି ଜନ୍‌ସନ୍‌ଙ୍କର ତୃତୀୟ ବିବାହ। ୧୯୮୭ରେ ସେ ଆଲେର୍ଗା ମୋଷ୍ଟାଇନ୍‌-ଓେଓ୍ଵନ୍‌ଙ୍କୁ ବିବାହ କରିଥିଲେ। ୧୯୯୩ରେ ତାଙ୍କର ପ୍ରଥମ ବିବାହ ବିଚ୍ଛେଦ ହୋଇଥିଲା। ସେହି ବର୍ଷ ହିଁ ସେ ହ୍ଵିଲର୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କ ଠାରୁ ଜନ୍‌ସନ୍‌ଙ୍କର ୪ଟି ପିଲା ଅଛନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର୍‌ ଏବଂ ଡେଭିଡ୍‌ କ୍ୟାମେରୁନ୍‌ଙ୍କର ମଧ୍ୟ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ରେ ସନ୍ତାନସନ୍ତତି ହୋଇଥିଲା।

By amfnews

Related Post