Thu. Jun 11th, 2026

ପ୍ରତିଭା ରାୟ ପାଇବେ ସାରଳା ସମ୍ମାନ

188 Views

କଟକ : ପ୍ରଖ୍ୟାତ କଥାଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ ୨୦୧୮ମସିହା ପାଇଁ ମର୍ଯ୍ୟାଦାଜନକ ‘ସାରଳା ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଡିସେମ୍ବର ୮ତାରିଖ ରବିବାର ସଂଧ୍ୟା ୬ଟାରେ ସାରଳା ଭବନରେ ଆୟୋଜିତ ସାରଳା ସାହିତ୍ୟ ସଂସଦର ୩୮ତମ ବ‌ାର୍ଷିକ ଉତ୍ସବରେ ଡକ୍ଟର ରାୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଡକ୍ଟର ରାୟଙ୍କୁ ସମ୍ମାନିତ କରିବେ। ପୁରସ୍କାରସ୍ବରୂପ ଏକ ଲକ୍ଷ ୫ ହଜାର ଟଙ୍କାର ଅର୍ଥରାଶି, ତାମ୍ରଫଳକ ଓ ଉପଢ଼ୌକନ ପ୍ରଦାନ କରାଯିବ ବୋଲି ସଂସଦର ପ୍ରତି‌ଷ୍ଠାତା ଓ ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ବାଇଁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଲେଖନୀ ଚାଳନା କରିବା ସହିତ ଡକ୍ଟର ପ୍ରତିଭା ରାୟ ବହୁ ପୁସ୍ତକ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସାରସ୍ବତ ସାଧନା ପାଇଁ ଡକ୍ଟର ରାୟ କେନ୍ଦ୍ର ସାହିତ୍ୟ ଅକାଦେମି, ମୂର୍ତ୍ତିଦେବୀ ସମ୍ମାନ, ଜ୍ଞାନପୀଠ ପୁରସ୍କାର ଭଳି ବହୁ ଜାତୀୟ ତଥା ଅନ୍ତର୍ଜାତୀୟ ସମ୍ମାନ ଲାଭ କରିଛନ୍ତି। ସୂଚନା ଯୋଗ୍ୟ, ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆଦିକବି ସାରଳା ଦାସଙ୍କ ସ୍ମୃତିରେ ପ୍ରତିବର୍ଷ ଜଣେ ପ୍ରସିଦ୍ଧ ସାରସ୍ବତ ସ୍ରଷ୍ଟାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଏ। ଚଳିତ ବର୍ଷଠାରୁ ସମ୍ମାନ ବାବଦ ଅର୍ଥରାଶିକୁ ୫୦ହଜାର ଟଙ୍କାରୁ ଏକ ଲକ୍ଷ ୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

By amfnews

Related Post