Wed. Jul 29th, 2026

ପୁଲିସ ସହ ଗୁଳିବିନିମୟ କରି ଜଣେ ମାଓବାଦୀ ନିହତ

193 Views

କଳାହାଣ୍ଡି: ବୁଧବାର ପାହାନ୍ତାରେ ଲାଞ୍ଜିଗଡ଼ ପୁଲିସ ଓ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀ ନିହତ ହୋଇଛି। ମାଓବାଦୀମାନେ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ କୋର୍ଟ ବଣ୍ଡେଲ୍‌ ନିକଟରେ କ୍ୟାମ୍ପ୍‌ ପକାଇଥିବା ଖବର ପାଇ ପୁଲିସ କମ୍ବିଂଙ୍ଗ୍‌ ଅଭିଯାନ ଚଳାଉଥିବା ବେଳେ ସମ୍ପୃକ୍ତ ମାଓବାଦୀମାନେ ପ୍ରଥମେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଜବାବରେ ପୁଲିସ ପାଲଟା ଗୁଳି ଚାଳନା କରିବାରୁ ଘଟଣାସ୍ଥଳରେ ଜଣେ ମାଓବାଦୀ ନିହତ ହୋଇଛି। ଘଟଣାସ୍ଥଳରୁ ପୁଲିସ ଗୋଟାଏ ୩୦୩ ବନ୍ଧୁକ ମଧ୍ୟ ଜବତ କରିଛି। ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ନିହତ ମାଓବାଦୀର ପରିଚୟ ମିଳିନାହିଁ। ସେ ଅଞ୍ଚଳରେ ଛଅ ସାତ ଜଣ ମାଓବାଦୀ ଛପି ଥିବା ଅନୁମାନ କରାଯାଉଛି। ଏହି ମାଓବାଦୀ ଦଳ କିଛି ଦିନ ତଳେ ପାହାଡ଼ ପଦର ମାଳୀଗାଁ ସାପ୍ତାହିକ ହାଟ ଏବଂ ବାବୁପଦର ଠାରେ ଦୁଇ ଜଣ ଠିକାଦାରଙ୍କୁ ପୁଲିସ ସୂଚନାଦାତା ସନ୍ଦେହରେ ହତ୍ୟା କରିଥିଲେ। ଏବେ ମଧ୍ୟ ଜଙ୍ଗଲ ମଧ୍ୟରେ ପୁଲିସ କମ୍ବିଙ୍ଗ୍‌ ଅଭିଯାନ ଚଳାଇଥିବା କଥା କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି।

By amfnews

Related Post