Mon. Apr 27th, 2026

ପୁଣି ପାତ୍ରପଡ଼ା ଅଶାନ୍ତ : ରେଗାଲିଆ ଛକରେ ଗୋଷ୍ଠୀ ସଂଘର୍ଷ

360 Views

ଖଣ୍ତଗିରି, ଜାନୁଆରୀ ୧୩   : ଗୁରୁବାର ବିଳମ୍ବିତ ରାତିର ବୋମାମାଡ଼ ଘଟଣାକୁ ନେଇ ଖେଳି ଯାଇଥିବା ଆତଙ୍କ ମନରୁ ନ ଲିଭୁଣୁ, ଶନିବାର ରାତିରେ ପୁଣିି ପାତ୍ରପଡ଼ା ଅଶାନ୍ତ ହୋଇପଡ଼ିଛି। ଡିଏନ୍ ରେଗାଲିଆ ଛକରେ ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏହି ଗଣ୍ତଗୋଳରେ ଭଗବାନପୁରର ଜଣେ ଯୁବକ ଆହତ ହୋଇଥିବା ଜଣାପଡ଼ିଛି। କିନ୍ତୁ ତମାଣ୍ଡୋ ଥାନାରେ ଏ ନେଇ କୌଣସି ଅଭିଯୋଗ ହୋଇନାହିଁ। ତେଣୁ ନାନା କଥା ଆଲୋଚନା ହେଉଥିଲେ ବି ଗଣ୍ତଗୋଳର ପ୍ରକୃତ କାରଣ ଜଣାପଡ଼ିନାହିଁ। ବାଣଫୁଟାକୁ ନେଇ ଏହି ଗଣ୍ତଗୋଳର ସୂତ୍ରପାତ ହୋଇଛି ବୋଲି କୁହାଯାଉଥିଲେ ବି ଆଜି କି ପ୍ରକାର ବାଣ ଫୁଟା କାର୍ଯ୍ୟକ୍ରମ ଥିଲା, ତାହା ଅସ୍ପଷ୍ଟ ରହିଛି। ସେହିଭଳି ଗାଁ ଭିତରେ ୨ ଦିନ ତଳର ବୋମାମାଡ଼କୁ ନେଇ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି ବୋଲି ମଧ୍ୟ ଅନୁମାନ କରାଯାଉଛି।

ଖବର ପାଇ ଖଣ୍ତଗିରି ଥାନା ଓ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପଇଁତରା ମାରି ଫେରିଛି। ସୂଚନାନୁସାରେ ଆଜି ଭଗବାନପୁର ଓ ପାତ୍ରପଡ଼ାର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲା। ଗଣ୍ତଗୋଳରେ ରାଜୁ ନାମକ ଜଣେ ଯୁବକ ଆହତ ହୋଇଥିଲେ। ଏହି ଖବର ପ୍ରଚାରିତ ହେବା ମାତ୍ରେ ଦୁଇ ଗାଁ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏମିତିକି ଗାଁ ଭିତରେ ଦୁଇ ପକ୍ଷ ପିଟାପିଟି ହେବା ପର୍ଯ୍ୟନ୍ତ କଥା ଯାଇଥିଲା। କିନ୍ତୁ ଗାଁର ବୟସ୍କ ବ୍ୟକ୍ତିିମାନେ ହସ୍ତକ୍ଷେପ କରିବା ଫଳରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। କିନ୍ତୁ ହଠାତ୍ ପୁଣି କୌଣସି କଥାକୁ ନେଇ ଦୁଇ ପକ୍ଷର ଶତାଧିକ ଯୁବକ ରେଗାଲିଆ ଛକକୁ ମାଡ଼ି ଆସିଥିଲେ। କିନ୍ତୁ ସେତେବେଳକୁ ଖଣ୍ତଗିରି ଓ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳେରେ ପହଞ୍ଚି ଯାଇଥିଲା। ମାତ୍ର ଉଭୟ ପକ୍ଷ କେହି କାହା ବିରୋଧରେ ପୁଲିସ ନିକଟରେ ଅଭିଯୋଗ କରି ନଥିଲେ। ଦୁଇ ପକ୍ଷ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ଜଣାପଡ଼ିଛି। ତେଣୁ ଗଣ୍ତଗୋଳ ବଡ଼ିବା ଆଶଙ୍କାରେ ଗାଁରେ ପୁଲିସ ମୁତୟନ କରାଯାଇଛି ଓ ଦୁଇ ଦୁଇଟି ପିସିଆର୍ ପଇଁତରା ମାରୁଛି।

By amfnews

Related Post