Thu. Jun 11th, 2026

ପାରାଦୀପ ମାରାଥନରେ ଆଉ ଜଣେ ବୁଦ୍ଧିଆ ! ଦୌଡ଼ିଲା ୧୪ କିଲୋମିଟର

272 Views

ଜଗତସିଂହପୁର: ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ ଅବସରରେ ଆଜି ଅନୁଷ୍ଠିତ ମାରାଥନରେ ଆଉ ଜଣେ କୁନି ଧାବକ ବୁଦ୍ଧିଆଙ୍କୁ ଦେଖିବାକୁ ମିଳିଛି। ବୁଦ୍ଧାଦିତ୍ୟ ନାମକ ୫ ବର୍ଷର ଏହି କୁନି ଧାବକ ମାରାଥନ୍‌ରୁ ବାଦ୍‌ ପଡ଼ିଥିଲେ ହେଁ ଅଣଆନୁଷ୍ଠାନିକ ଭାବେ ସେ କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ହନୁମାନ ମନ୍ଦିର ନିକଟରୁ ଦୌଡ଼ିବା ଆରମ୍ଭ କରି ଦୀର୍ଘ ୧୪ କିମି ଅତିକ୍ରମ କରିବା ପରେ ଗୋପବନ୍ଧୁ ଷ୍ଟାଡ଼ିୟମରେ ପହ‌ଁଚିଥିଲେ।

ନିୟମ ଅନୁଯାୟୀ ବନ୍ଦର ପ୍ରଶାସନର ଆୟୋଜିତ ମାରାଥନ୍‌ରେ କେବଳ ଯୁବକ ଯୁବତୀମାନେ ଭାଗ ନେଇଥିଲେ। ମାତ୍ର ଭୁବନେଶ୍ବରରୁ ଆସିଥିବା ବୁଦ୍ଧାଦିତ୍ୟକୁ ବୟସ କମ୍‌ ଥିବାରୁ ମାରାଥନରେ ସାମିଲ ହେବାକୁ ଅନୁମତି ମିଳି ନଥିଲା। ତେବେ ସେ ଏକୁଟିଆ ରାସ୍ତାରେ ଦୌଡ଼ୁଥିବା ବେଳେ ତାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ବୁଦ୍ଧାଦିତ୍ୟ ସ୍ବାଇଁ(୫)ଙ୍କ ଘର ଭୁବନେଶ୍ବର ବିମାନବନ୍ଦର ନିକଟରେ। ଝାରପଡ଼ା କେଶୁରା ଅଞ୍ଚଳରେ ବାପା ଦେବଦତ୍ତ ମହାନ୍ତି ଓ ମା’ ଗୋପା ରାଉତଙ୍କ ସହ ରହୁଛନ୍ତି। ଏଲ କେଜିରେ ପାଠ ପଢୁଥିବା ବୁଦ୍ଧାଦିତ୍ୟ ମାତ୍ର ତିନି ବର୍ଷ ବୟସରେ ଦୌଡ଼ିବା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ରାଉରକେଲା ଷ୍ଟିଲ ପ୍ଲାଣ୍ଟ୍‌ରୁ ଚାକିରି ଛାଡ଼ି ଦେବଦତ୍ତ ନିଜ ପୁଅକୁ ପ୍ରଶିକ୍ଷଣ ଦେବା ସହ ଜଣେ ନାମକରା ଧାବକ ଭାବେ ତିଆରି କରିବାକୁ ପ୍ରୟାସ କରୁଛନ୍ତି। ବୁଦ୍ଧାଦିତ୍ୟ ଜୁଡୋ ଶିଖୁଥିବା ବେଳେ ଭୁବନେଶ୍ବର, ହାଇଦ୍ରାବାଦ ଓ ଗୋଆ ଆଦି ସ୍ଥାନରେ ହୋଇଥିବା ମାରାଥନରେ ମଧ୍ୟ ଭାଗ ନେଇ ସମସ୍ତଙ୍କୁ ଚକିତ କରିଛନ୍ତି।

By amfnews

Related Post