Mon. Jul 27th, 2026

ପାତ୍ରପଡ଼ା ହତ୍ୟାକାଣ୍ଡର ପରବର୍ତ୍ତୀ ବିବାଦ ଥମୁନି: ମୃତ ଦିଲ୍ଲୀପଙ୍କ ଘରେ ଆକ୍ରମଣ

245 Views

ଖଣ୍ଡଗିରି, ଡିସେମ୍ବର ୨୮: ୩ ବର୍ଷରୁ ଅଧିକ କାଳ ବିତିବା ପରେ ବି ପାତ୍ରପଡ଼ା ଦିଲ୍ଲୀପ ନାଏକ ହତ୍ୟାକାଣ୍ଡର ପରବର୍ତ୍ତୀ ବିବାଦ ଥମିବା ନାଁ ଧରୁନି। ମାମଲାକୁ ଦଫାରଫା କରିବା ପାଇଁ ଚାପ ପକାଇବା ଉଦ୍ଦେଶ୍ୟରେ ବାରମ୍ବାର ମୃତ ଦିଲ୍ଲୀପଙ୍କ ପରିବାର ଉପରେ ବିଭିନ୍ନ ବାଟରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଆସୁଛି। ଗତକାଲି ରାତିରେ ତାଙ୍କ ଘର ଉପରେ ଏଭଳି ଏକ ଆକ୍ରମଣ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଘରେ ପଶି ଧାନବସ୍ତା କାଟି ପକାଇବା ସହ ବାଡ଼ିରୁ କଦଳୀ ଗଛ କାଟି ନଷ୍ଟ କରିଛି।

ଏ ନେଇ ମୃତ ଦିଲ୍ଲୀପଙ୍କ ଦାଦା କରୁଣାକର ନାଏକ ଅଭିଯୋଗ କରିବା ପରେ ଖଣ୍ଡଗିରି ଥାନା ପୁଲିସ ଘଟଣାର ଛାନ୍‌ଭିନ୍ ଜାରି ରଖିଛି। କରୁଣାକରଙ୍କ ଅଭିଯୋଗ ଅନୁସାରେ ତାଙ୍କ ଘରର ବାଡ଼ିପଟ ବାରଣ୍ଡାରେ ରଖାଯାଇଥିବା ପ୍ରାୟ ୨୦ ବସ୍ତା ଧାନବସ୍ତାକୁ କେହି କାଟି ପକାଇଛି। ସବୁ ବସ୍ତାକୁ କୌଣସି ଏକ ଧାରୁଆ ଅସ୍ତ୍ରରେ ଚୋଟ ମାରିବା ଯୋଗୁଁ ସେଗୁଡ଼ିକ ଫାଟି ଯାଇଛି। ସେହିଭଳି ଦୁର୍ବୃତ୍ତଜଣଙ୍କ ତାଙ୍କ ବାଡ଼ିରେ ଥିବା ପ୍ରାୟ ୪/୫ଟି କଦଳୀଗଛକୁ ହାଣି କୂଅ ଭିତରେ ଗଳାଇ ଦେଇଛି। କରୁଣାକରଙ୍କ କହିବା କଥା ଏସବୁ କାଣ୍ଡ ପଛରେ ଦିଲ୍ଲୀପ ନାଏକର ହତ୍ୟାକାରୀ ଗୋଷ୍ଠୀଙ୍କ ହାତ ରହୁଛି।

ଗତ ସେପ୍ଟେମ୍ବର ୨୪ ତାରିଖରେ ଏଭଳି ଏକ ଘଟଣାରେ ଦିଲ୍ଲୀପଙ୍କ ମା’ ପ୍ରେମା ଦେଇଙ୍କୁ ଧମକ ଦେଇ ସୁକାନ୍ତ ନାଏକ ନାମ ଜଣେ ଯୁବକ ଗିରଫ ହୋଇଥିଲା। ସୂଚନାଯୋଗ୍ୟ ଯେ ଗତ ୨୦୧୫ ମସିହା ଜୁନ୍ ୧୮ ତାରିଖରେ ଏକ ଠିକାଦାରୀକୁ ନେଇ ଘଟିଥିବା ଗଣ୍ଡଗୋଳ ବେଳେ ଦିଲ୍ଲୀପ ନାଏକ ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିଲେ। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକ ଏବେ ବି ଜେଲ୍‌ରେ ଅଛନ୍ତି ଓ ତାଙ୍କ ଜାମିନ୍ ଆବେଦନ ବାରମ୍ବାର ଖାରଜ ହେଉଛି।

By amfnews

Related Post