Sun. May 12th, 2024

ନିଶା କବଳରେ ଖଣ୍ଡଗିରି: ମଦ, ଗଞ୍ଜେଇ ଯେତିକି ବ୍ରାଉନ୍ ସୁଗାର ସେତିକି

By amfnews Apr 30, 2019 #Featured
185 Views

ଖଣ୍ଡଗିରି : ସ୍ଥାନୀୟ ଅଞ୍ଚଳ ବିଭିନ୍ନ ନିଶା ବେପାରୀଙ୍କ ଆଡ଼ା ପାଲଟିଛି। ଗଞ୍ଜେଇଠାରୁ ଆରମ୍ଭ କରି ମଦ ଓ ବ୍ରାଉନ୍‌ ସୁଗାର ବେପାରର ପେଣ୍ଠ ପାଲଟିଛି ଖଣ୍ଡଗିରି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ଭରତପୁର, କଳିଙ୍ଗ ଷ୍ଟୁଡିଓ ଛକ, ଡୁମୁଡୁମା ରଘୁନାଥନଗର ଅଞ୍ଚଳ, କୁବେରପୁରୀ, ପାତ୍ରପଡ଼ା ଆଦି ଅଞ୍ଚଳରେ ବ୍ୟାପକ ଚୋରା ନିଶା କାରବାର ଚାଲିଛି। ଏହି ଅଞ୍ଚଳରେ ଥିବା ବହୁ ବସ୍ତିକୁ ଟାର୍ଗେଟ୍‌ କରି ଚୋରା ମଦ ଓ ଗଞ୍ଜେଇ ବେପାରୀମାନେ କାରବାର ଚଳାଉଥିବା ବେଳେ ଇଂଜିନିୟରିଂ କଲେଜମାନଙ୍କୁ ଟାର୍ଗେଟ୍‌ କରି ବ୍ରାଉନ୍ ସୁଗାର ବେପାରୀମାନେ ସକ୍ରିୟ ଅଛନ୍ତି। ନିଶା କାରବାର ଯୋଗୁଁ ଏହି ଅଞ୍ଚଳରେ ରାହାଜାନି ଓ ଛିନ୍‌ତାଇ ଭଳି ଘଟଣାମାନ ଘଟୁଥିବା ଅଭିଯୋଗ ହେଉଛି। ଗତ ୨ ମାସ ମଧ୍ୟରେ ଏହି ଅଞ୍ଚଳରୁ ୫ଜଣ ବ୍ରାଉନ୍ ସୁଗାର ବେପାରୀ ପୁଲିସ କବ୍‌ଜାରେ ପଡ଼ି ସାରିଲେଣି।

ଚଳିତ ମାସ ୯ ତାରିଖରେ ଭୁବନେଶ୍ବର ଅବକାରୀ ବିଭାଗ ଡୁମୁଡୁମା ଅଟୋ ଷ୍ଟାଣ୍ଡରୁ ସ୍ଥାନୀୟ ଯଦୁପୁର ବେଗୁନିଆ ଅଞ୍ଚଳର ସେକ୍ ନୁରିଦ୍ଦିନ୍‌ଠାରୁ ୧୪ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଥିଲା। ଫେବ୍ରୁଆରି ୨୬ ତାରିଖରେ ଅବକାରୀ ବିଭାଗ ଭରତପୁରରୁ ରାକେଶ ସାହୁକୁ ଗିରଫ କରି ତା’ ନିକଟରୁ ୫୪ ଗ୍ରାମ୍‌ ବ୍ରାଉନ୍ ସୁଗାର ଜବତ କରିଥିଲା। ସେହି ମାସ ୪ ତାରିଖରେ କମିସନରେଟ୍‌ ପୁଲିସ କଳିଙ୍ଗ ଷ୍ଟୁଡିଓ ଛକରୁ ସ୍ଥାନୀୟ ରାଘବ ଦାସ ଓ ମୁନା ସେଠୀକୁ ଗିରଫ କରି ସେମାନଙ୍କଠାରୁ ୧୫ ଗ୍ରାମ୍‌ ବ୍ରାଉନ୍ ସୁଗାର ଜବତ କରିଥିଲା। ସେହିଭଳି ‌ଜାନୁଆରି ୩୦ ତାରିଖରେ ଖୋର୍ଧାର ସନ୍ତୋଷ ସାହୁ ପୁଲିସ ହାତରେ ଧରପଡ଼ିଥିଲା ଓ ତା’ଠାରୁ ୨୧ ଗ୍ରାମ୍ ବ୍ରାଉନ୍ ସୁଗାର ମିଳିଥିଲା। ଏହା ପୂର୍ବରୁ ମଧ୍ୟ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଜଣେ ଅଟୋ ଚାଳକ ଓ ସୌମ୍ୟ ସାହୁ ନାମକ ଯୁବକ ବ୍ରାଉନ୍ ସୁଗାର ବେପାର ଅଭିଯୋଗରେ ଗିରଫ ହୋଇଥିଲେ। ଏହା ପୂର୍ବରୁ ଘାଟିକିଆ ଅଞ୍ଚଳରୁ କିଛି ବ୍ରାଉନ୍ ସୁଗାର ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଚଳିତ ମାସରେ ଏହି ଅଞ୍ଚଳରୁ ଦୁଇ ଥରରେ ୬ ଜଣ ଗଞ୍ଜେଇ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଚଳିତ ମାସ ୫ ତାରିଖ‌ରେ ପାତ୍ରପଡ଼ାସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର ମେସ୍‌ରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା ଓ ସେମାନଙ୍କଠାରୁ ୩ କେଜି ଗଞ୍ଜେଇ ଜବତ କରାଯାଇଥିଲା। ସେହିଭଳି ଗତ ୨୩ ତାରିଖରେ ସ୍ଥାନୀୟ ତପୋବନ ବସ୍ତି ନିକଟରୁ ୨ଜଣଙ୍କୁ ୮ କେଜି ଗଞ୍ଜେଇ ସହ ଗିରଫ କରାଯାଇଥିଲା ଓ ସ୍ଥାନୀୟ ଜାଗମରା ବଜାରରୁ ଜଣେ ମହିଳା ଦୋକାନୀଙ୍କ ନିକଟରୁ ୨ କେଜି ଗଞ୍ଜେଇ ଜବତ ହୋଇଥିଲା।

ତେବେ ଏହି ଦୁଇ ନିଶା ବେପାରଠାରୁ ଏହି ଅଞ୍ଚଳରେ ଚୋରା ମଦ କାରବାର ଅଧିକ। ବଜାର ହାଟରେ ଖୁଚୁରା ବିକ୍ରି ‌ଯେତିକି ସାଧାରଣ କଥା, ନକଲି କାରଖାନା ଚାଲୁଥିବା ‌ଭଳି ଘଟଣା‌ ସେତିକି ଉଦ୍‌ବେଗଜନକ ହୋଇଛି। ଶେଷରେ ଏକ ମଠ ଭିତରୁ ବି ଠାବ ହୋଇଛି ନକଲି ମଦ କାରଖାନା। ବରମୁଣ୍ଡା ବସ୍‌ଷ୍ଟାଣ୍ଡ, କୁବେରପୁରୀ ବଜାର, ଡୁମୁଡୁମା ବଜାର ଆଦି ଅଞ୍ଚଳରେ ବ୍ୟାପକ ମଦ କାରବାର ହେଉଥିବା ଅଭିଯୋଗ ହେଉଛି। ବଡ଼ କତା ହେଉଛି, ଏହି ଅଞ୍ଚଳରୁ ଦୁଇ ଦୁଇ ଥର ନକଲି ଦେଶୀ ମଦ କାରଖାନା ଠାବ ହେଲାଣି। ଗତ ବର୍ଷ ଉଦୟଗିରି ପାହଡ଼ ତଳ ଏକ ବସ୍ତିରୁ ନକଲି ଆସ୍କା-୪୦ କାରଖାନା ଠାବ ହୋଇଥିଲା ଓ ୪ ଜଣଙ୍କୁ ଗିରଫ କରାଯାଇଥିଲା। ସେହିଭଳି ଗତ ୨୬ ତାରିଖରେ କଟକ ଅବକାରୀ ଗୁଇନ୍ଦା ବିଭାଗ ଏକ ମଠରୁ ନକଲି ମଦ କାରଖାନା ଠାବ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ଜଣେ ଲାଇସେନ୍‌ସପ୍ରାପ୍ତ ବିଦେଶୀ ମଦ ବାର୍ ମାଲିକ ଏହି ଅଞ୍ଚଳରେ ଚୋରା ନକଲି ଦେଶୀ ମଦ କାରବାରର ଖଳନାୟକ। ସରକାରୀ ଲାଇସେନ୍‌ସପ୍ରାପ୍ତ ଆସ୍କା-୪୦ ଦୋକାନରୁ ମାଲ୍‌ କିଣି ବିହାରୀ ଯୁବକମାନଙ୍କ ସହଯୋଗରେ ସେ ସେଥିରେ ସ୍ପିରିଟି ମିଶାଇ ନକଲି ମଦ ପ୍ରସ୍ତୁତ କରୁଥିବା ଅଭିଯୋଗ ହେଉଛି। ମଠରେ ଘର ଭଡ଼ା ନେଇ ସେହି ବେପାରୀ ହିଁ ନକଲି ମଦ କାରଖାନା ଚଳାଇଥିବା ଚର୍ଚ୍ଚା ହେଉଛି। ତେବେ ପୁଲିସ ଓ ଅବକାରୀ ବିଭାଗ ସବୁ ଜାଣି ନରିବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ପ୍ରମାଣ ଅଭାବରୁ ଉକ୍ତ ବେପାରୀକୁ ଗିରଫ କରିବା ସମ୍ଭବ ହେଉନଥିବା ଆଳ ଦେଖାଇ ତାକୁ ଖଣ୍ଡଗିରିରେ ମଦ କାରବାର କରିବା ପାଇଁ ସୁଯୋଗ ଦିଆଯାଉଥିବା ଲୋକେ ଅଭିଯୋଗ କରୁଛନ୍ତି।

By amfnews

Related Post