Sun. Sep 6th, 2026

ନିଜାମୁଦ୍ଦିନ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

229 Views

ଭୁବନେଶ୍ୱର : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ନିଜାମୁଦ୍ଦିନ ସଭାରେ ଯୋଗ ଦେଇ ଫେରିଥିବା ଲୋକଙ୍କ ମଧ୍ୟରୁ ୨୮ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୩ ଜଣଙ୍କର ପଜିଟିଭ୍ ଆସିଛି। ତେବେ ଉକ୍ତ ସଭାରେ ବାସ୍ତବରେ ଓଡ଼ିଶାର କେତେ ଜଣ ଯୋଗ ଦେଇଥିଲେ ଓ କେତେ ଜଣ ଫେରିଛନ୍ତି, ତାହା ସ୍ପଷ୍ଟ ହୋଇ ନଥିଲା ବେଳେ ସେମାନେ ନିଜେ ସାମ୍ନାକୁ ଆସିବା ଉଚିତ୍ ବୋଲି ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି। ତେବେ ଘଟଣାର ଗୁରୁତ୍ୱକୁ ଅନୁଭବ କରି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜାମୁଦ୍ଦିନ ସଭାରେ ଯୋଗ ଦେଇ ଫେରିଥିବା ଲୋକଙ୍କୁ ସାମ୍ନାକୁ ଆସିବାକୁ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ଓଡ଼ିଶାରୁ ଯୋଗଦେଇଥିବା ସମସ୍ତଙ୍କୁ ମୋର ଅନୁରୋଧ, ଆପଣମାନେ ଟୋଲ୍ ଫ୍ରୀ ନମ୍ବର ୧୦୪ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ମାନନ୍ତୁ। ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ୍ ପାଇଁ ଆଗେଇ ଆସନ୍ତୁ। ଡରନ୍ତୁ ନାହିଁ। ମୁଁ ଓ ମୋ ସରକାର ଆପଣଙ୍କ ସାଥିରେ ଅଛି। ମା’ମାନଙ୍କୁ ମୋର ଅନୁରୋଧ, ନିଜ ପରିବାର ଓ ନିଜ ପିଲାମାନଙ୍କ ଭଲ ପାଇଁ ଏଥିରେ ସହଯୋଗ କରନ୍ତୁ।”

ନିଜାମୁଦ୍ଦିନ ଫେରନ୍ତାଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଟେଷ୍ଟରେ ବିଳମ୍ବ କଲେ ଏହା ଆପଣ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇପାରେ। ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବ ଜାତିର ବହୁତ ବଡ଼ ଉପକାର କରିପାରିବ।

ସେ କହିଛନ୍ତି, “କରୋନା ମାନବ ଜାତିର ସବୁଠାରୁ ବଡ଼ ଶତ୍ରୁ। ଏହାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଦରକାର। କରୋନାକୁ ଡରିବାର କିଛି ନାହିଁ। କିନ୍ତୁ ଆମକୁ ସାବଧାନ ରହିବାକୁ ହେବ।”

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି ଗୋଟିଏ ଦିନରେ ୧୫ ଜଣଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା।

By amfnews

Related Post