Sun. May 24th, 2026

ନର୍ସଙ୍କୁ ପିଟିଲେ ରୋଗୀଙ୍କ ସମ୍ପର୍କୀୟ

175 Views

ବଲାଙ୍ଗୀର : ଗତକାଲି ରାତିରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। କର୍ତ୍ତବ୍ୟରତ ଜଣେ ନର୍ସଙ୍କୁ ଜଣେ ରୋଗୀଙ୍କ ଦୁଇ ଜଣ ସମ୍ପର୍କୀୟ ପିଟିଥିବା ଅଭିଯୋଗ ହୋଇଛି। ଏଥିରେ ସେ ଆହତ ହୋଇଥିବା ବେଳେ ଫାଣ୍ଡିରେ ଅଭିଯୋଗ କରିଛନ୍ତି।  ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ  ତୁରନ୍ତ ଗିରଫ କରିବା ପାଇଁ ନର୍ସମାନେ ଦାବି କରିଛନ୍ତି। ନ ହେଲେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଜଣେ ରୋଗୀଙ୍କୁ ତାଙ୍କ ସଂପର୍କୀୟମାନେ ଅର୍ଥୋପେଡ଼ିକ ୱାର୍ଡରୁ ମେଡିସିନ ୱାର୍ଡକୁ  ଆଣିଥିଲେ। ଏହି ସମୟରେ କୌଣସି କଥାକୁ ନେଇ ରୋଗୀଙ୍କ ଦୁଇ ଜଣ ସମ୍ପର୍କୀୟଙ୍କର ସେଠାରେ ଡ୍ୟୁଟିରେ ଥିବା ନର୍ସ ପ୍ରତିମା ପ୍ରଧାନଙ୍କ ସହ ବଚସା ହୋଇଥିଲା। ଏହାପରେ ସେମାନେ ପ୍ରତିମାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିଯୋଗୁ  ତାଙ୍କ  ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।

ଆକ୍ରମଣ  ପ୍ରତିବାଦରେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନର୍ସମାନେ ଚେତାବନୀ ଦେଇଛନ୍ତି। ତା’ ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।  ମେଡିକାଲରେ ବହୁ କମ୍ ସଂଖ୍ୟକ ନର୍ସରେ ରୋଗୀ ସେବା ଚାଲିଥିବା ବେଳେ ଏପରି ପରିସ୍ଥିତିରେ ସେମାନେ ନିଜକୁ ସୁରକ୍ଷିତ ମଣୁ ନ ଥିବା କହିଛନ୍ତି। ତେଣୁ  ଡ୍ୟୁଟିରେ ଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ମେଡିକାଲରେ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ସେମାନେ ଦାବି କରିଛନ୍ତି।

By amfnews

Related Post