Tue. Aug 11th, 2026

ନରସିଂହଙ୍କ ଚେତାବନୀ; ବନ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ, ନ ହେଲେ…

353 Views

ବଲାଙ୍ଗିର  : ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଶୀଘ୍ର ବଲାଙ୍ଗିରର ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରା ନ ଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି କହି ସେ ବର୍ଷିଛନ୍ତି।

ଦଳର ବରିଷ୍ଠ ବିଧାୟକ ମିଶ୍ର କହିଛନ୍ତି,“ରାଜ୍ୟ ସରକାର ଓ କେନ୍ଦ୍ର ସରକାର ହାତ ଟେକି ଦେଇଛନ୍ତି। ସେମାନେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ନାହାନ୍ତି। ଏହା ଦୁର୍ଭାଗ୍ୟଜନକ। ସରକାର ଅତି ଶୀଘ୍ର ସଚେତନ ହୁଅନ୍ତୁ। ବଲାଙ୍ଗିରର ବନ୍ୟା କ୍ଷତିଗ୍ରସ୍ତଙ୍କୁ ଶୀଘ୍ର ଅର୍ଥ ପ୍ରଦାନ କରନ୍ତୁ। ଯଦି ଦଶହରା ଛୁଟି ପରେ ଜିଲ୍ଲାକୁ ଅର୍ଥ ନ ପହଞ୍ଚେ, ତାହାହେଲେ ଆମେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେବୁ। ”

ସୂଚନାଯୋଗ୍ୟ, ଲଗାଣ ବର୍ଷା ହେତୁ ଗତ ଅଗଷ୍ଟ ୧୩ ତାରିଖରେ ବଲାଙ୍ଗିରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିଯୋଗୁ ବହୁ ଲୋକଙ୍କ ଘର ଦ୍ୱାର ଭାଙ୍ଗି ଯାଇଥିଲା।   ହଜାର ହଜାର ଲୋକ ବେସାହାରା ହୋଇ ଯାଇଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ହଜାର ହଜାର ଏକର ଚାଷ ଜମି ବାଲିଚର ହୋଇଯାଇଥିଲା। ବନ୍ୟା ପରେ ଜିଲ୍ଲାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ଯନ୍ତ୍ରୀଙ୍କ ସୁଅ ଛୁଟିଥିଲା । କିନ୍ତୁ ବନ୍ୟାର ଦେଢ ମାସ ପରେ ମଧ୍ୟ ଏ ପର୍ଯ୍ୟନ୍ତ ବନ୍ୟା କ୍ଷତିଗ୍ରସ୍ତଙ୍କୁ କୌଣସି ପ୍ରକାର କ୍ଷତିପୂରଣ ମିଳିପାରିନାହିଁ। ଏହାକୁ ନେଇ ବିଧାୟକ କ୍ଷୋଭ ପ୍ରକାଶ କରିବା ସହ ବନ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ନ ମିଳିଲେ ଦଶହରା ଛୁଟି ପରେ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

By amfnews

Related Post