Sun. Apr 26th, 2026

ନକଲି ଚା ପ୍ୟାକିଂ କାରଖାନା ଠାବ : ଜଣେ ଗିରଫ, ୩ ଲକ୍ଷର ସାମଗ୍ରୀ ଜବତ

303 Views

ବାରଙ୍ଗ , ଜାନୁଆରୀ ୨୦ : ରାଜଧାନୀ ଉପକଣ୍ଠ ନନ୍ଦନକାନନ ଛକ ନିକଟରେ ଚାଲିଥିବା ଏକ ନକଲି ଚା’ ପ୍ୟାକିଂ କାରଖାନାର ପର୍ଦ୍ଦାଫାସ୍‌ କରିଛି କମିସନ୍‌ରେଟ୍‌ ପୁଲିସ। ଏକ ବିଶେଷ ସୂତ୍ରରୁ ସୂଚନା ପାଇ ଏହି ବେଆଇନ କାରବାର ଚାଲିଥିବା ଜଗନ୍ନାଥ ମନ୍ଦିର ପଛ ପାଖ‌ ଘର ଉପରେ ନନ୍ଦନକାନନ ଥାନା ପୁଲିସ ଚଢ଼ଉ କରିବା ସହ ଜଣଙ୍କୁ ଗିରଫ କରିଛି। ସେ ହେଲା, କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର କନ୍ଦ ଚରଣ ଦାସ (୩୨)।

ଏହାସହ ପୁଲିସ ସେଠାରୁ ଏକ ପ୍ୟାକେଟ ଚା’ ପତି, ନକଲି ଟାଟା ପ୍ରିମିୟମ କମ୍ପାନି ଚା’ ଜରି ଓ ପ୍ୟାକିଂ ମେସିନ୍‌ ସମେତ ଆନୁମାନିକ ୩ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିଛି। ପୁଲିସ ସୂଚନା ମୁତାବକ, ଏଠାରୁ ୧୦୦ ଓ ୨୦୦ ଗ୍ରାମ୍‌ର ନକଲି ଟାଟା ପ୍ରିମିୟମ୍‌ ଚା’ ପ୍ୟାକିଂ ହୋଇ ରାଜଧାନୀ ଓ ବାରଙ୍ଗ ବଜାରକୁ ଯାଉଥିଲା। ଗିରଫ କନ୍ଦକୁ ପଚରାଉଚରା କରିବାରୁ ସେ ଏଠାରେ କାମ କରୁଥିବା ଜଣେ କର୍ମଚାରୀ ବୋଲି କହିଛି। କିନ୍ତୁ ଏହି ବେଆଇନ କାରବାରର ମାଷ୍ଟରମାଇଣ୍ଡ ପାଖରେ ପୁଲିସ ପହଞ୍ଚି ପାରିନାହିଁ। ଏହି ନକଲି ଜରି କେଉଁଠି ଛପା ହୋଇଆସୁଛି, ଏ ବେପାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଓ ମୁଖ୍ୟ କାର୍ପଟଦାର ସହ ସଂପୃକ୍ତ ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ ଖୋଳତାଡ଼ ଚଳାଇଛି। ଅପରପକ୍ଷେ ଏହି ରୢାକେଟ୍‌ରେ ସଂପୃ୍କ୍ତ ବ୍ରାଣ୍ଡର ନିର୍ଦ୍ଦିଷ୍ଟ କର୍ମଚାରୀ ସଂପୃକ୍ତ ଥିବା ନେଇ ପୁଲିସ ସନ୍ଦେହ କରୁଛି।

By amfnews

Related Post