Mon. Oct 12th, 2026

ଧାନକଟା ମେସିନ୍ ଓଲଟି ପଡ଼ିବାରୁ ଦୁଇ ଯୁବକଙ୍କର ମୃତ୍ୟୁ

221 Views

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ରାଇବଣିଆ ଥାନା ଅଞ୍ଚଳରେ ଧାନକଟା ମେସିନ ଓଲଟି ପଡ଼ିବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲାର ରାଇବଣିଆ ଥାନା ଅନ୍ତର୍ଗତ ଖୁଆଡ଼ ଗାଁର ଦୁଇଜଣ ଯୁବକ ଗୋପାଳ ଟୁଡୁ(୨୧) ଓ ହମିର ହାଁସଦା(୨୨) ବିଲରେ ଧାନ କାଟିବାଲାଗି ଧାନକଟା ମେସିନ ଆଣିଥିଲେ।

ଆଜି ସକାଳେ ଧାନକଟା ସରିବାପରେ ଗୋପାଳ ଓ ହମିର ଧାନକଟା ମେସିନକୁ ଟ୍ରାକ୍ଟରରେ ଲୋଡ୍ କରି ନେବାଲାଗି ଚେଷ୍ଟା କରୁଥିଲେ। ହଠାତ୍ ଉଭୟଙ୍କର ଅସାବଧାନତା ହେତୁ ଧାନକଟା ମେସିନ ସେଦୁହିଁଙ୍କ ଉପରେ ଓଲଟି ପଡ଼ିଥିଲା। ଏହାଫଳରେ ସେ ଦୁହେଁ ଗୁରୁତର ଭାବେ ଆହତ ହୋଇଥିଲେ।

ଏହା ଦେଖି ପାଖରେ ଥିବା କେତେକ ଗ୍ରାମବାସୀ ଉଭୟ ଆହତଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଉଭୟଙ୍କର ପ୍ରାଣ ରକ୍ଷା ସମ୍ଭବପର ହୋଇ ନ ଥିଲା। ସେଠାରେ ଡାକ୍ତର ଉଭୟ ଗୋପାଳ ଟୁଡୁ ଓ ହମିର ହାଁସଦାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

By amfnews

Related Post