Sat. May 4th, 2024

ଧର୍ମଶାଳା: ବିଦ୍ୟୁତ ବିଭାଗର ମନୋମୁଖୀ କାର୍ଯ୍ୟ ପାଇଁ ବଢୁଛି ଅସନ୍ତୋଷ

manasranjanbiswal07@gmail.com' By Manas Ranjan Biswal Jun 26, 2018 #Featured
175 Views

ଯାଜପୁର,୨୫/୦୬: ଯାଜପୁର ଜିଲ୍ଲାର ଧର୍ମଶାଳା ବିଦ୍ୟୁତ ସବଡିଭିଜନ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବିଦ୍ୟୁତ ସେବା କ୍ଷେତ୍ରରେ ବ୍ୟାପକ ବିଭ୍ରାଟ ଏବଂ ବିଭାଗୀୟ କର୍ତ୍ତୁପକ୍ଷଙ୍କ ମନୋମୁଖୀ ଆଚରଣ ନେଇ ଦିନକୁ ଦିନ ସରକାରଙ୍କ ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଛି ।

ଖବରରୁ ପ୍ରକାଶ, ବିଦ୍ୟୁତ ସେବା ଏକ ଅତ୍ୟାବଶୀକ ସେବା । ଏହି ସେବା ପ୍ରଦାନରେ ଅବହେଳା କରାଗଲେ ଜନଅସନ୍ତୋଷ ଅଧିକ ବ୍ୟାପକ ହୋଇଥାଏ । ଏହି ସବଡିଭିଜନ ଅଧୀନରେ ଥିବା ଶତାଧିକ ଗ୍ରାମରେ ଦିନରାତି ଅହରହ ବିଦ୍ୟୁତକାଟ ହେଉଛି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଏଭଳି ବିଦ୍ୟୁତକାଟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଧର୍ମଶାଳାରେ କାର୍ଯ୍ୟରତ ଏସ.ଡି.ଓଙ୍କ ମନୋମୁଖୀ କାର୍ଯ୍ୟ ଗ୍ରାହକ ମାନଙ୍କ ମଧ୍ୟରେ ଅଧିକ ଅସନ୍ତୋଷର ମୁଖ୍ୟ କାରଣ ହୋଇଛି ।

ବିଦ୍ୟୁତ ସମସ୍ୟା ନେଇ ଗ୍ରାହକ ମାନେ ଫୋନ କଲେ ମଧ୍ୟ ଏସ.ଡି.ଓଙ୍କ ସହ ଯୋଗାଯୋଗ ସମ୍ବବ ହେଉନାହିଁ । ବିଦ୍ୟୁତ ଗ୍ରାହକ ମାନଙ୍କ ଫୋନକୁ ଏସ.ଡି.ଓ ଧରୁ ନଥିବା ବେଳେ ବିନା କାରଣରେ ଏସ.ଡି.ଓ ଅଧିକାଂଶ ସମୟ ଗ୍ରୀଡରୁ ବିଦ୍ୟୁତ କାଟ କରୁଛନ୍ତି । ଏଥିନେଇ କୁଆଖିଆ ଏକଜ୍ୟୁଟିଭ ଇଞ୍ଜିନିୟରଙ୍କ ସହ ଯୋଗାଯୋଗ କରାଗଲେ ମଧ୍ୟ ଏକଜ୍ୟୁଟିଭ ଇଞ୍ଜିନିୟର ମଧ୍ୟ ଫୋନ ଉଠାଉ ନାହାନ୍ତି । ଅଧିକ  ଖବର ନେବାରୁ ଜଣାପଡିଛି ଯେ, କେତେକ କ୍ଷେତ୍ରରେ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଓ କ୍ରସର ଗୁଡିକୁ ଚୋରା ବିଦ୍ୟୁତ ସଂଯୋଗ ପାଇଁ ଅଧିକ ସମୟ ବିଦ୍ୟୁତକାଟ କରାଯାଇ ବଳକା ବିଦ୍ୟୁତକୁ ଚୋରା ସଂଯୋଗରେ ଭରଣା କରାଯାଉ ଥିବାର କୁହାଯାଉଛି ।

ଏହି ସବଡିଭିଜନ ଅଧୀନରେ ଶଙ୍ଖ, ଇନସୁଲେଟର ଆଦି ସରଞ୍ଜାମ ଗୁଡିକ ଅତି ନିମ୍ନ ମାନର ଲଗାଯାଇ ଥିବାରୁ ବର୍ଷା ଅସଳାଏ ନହେଉଣୁ ଏହା ଫାଟି ଯାଉଛି । ଏହା ବ୍ୟତୀତ ବିଦ୍ୟୁତ ଲାଇନ ସୁରକ୍ଷା, ମରାମତି ଆଦି କାର୍ଯ୍ୟରେ ଆଦୌ ସ୍ୱଚ୍ଛତା ରକ୍ଷା କରାଯାଉ ନାହିଁ । ଏ ବାବଦରେ ମଧ୍ୟ ବହୁଲକ୍ଷ ଟଙ୍କା ହଡପ କରାଯାଇଛି । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହାକୁ ଚାପି ଦିଆଯିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

ତେବେ ବିଭାଗୀୟ ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟ ପାଇଁ ଗ୍ରାହକ ଏବଂ ବିଦ୍ୟୁତ ବିଭାଗ ମଧ୍ୟରେ ଦିନକୁ ଦିନ ଦୂରତା ବଢିବା ଫଳରେ ସାଧାରଣରେ ବିଦ୍ୟୁତ ବିଭାଗ କାର୍ଯ୍ୟଧାରା ନେଇ ବିଷ୍ପୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଗ୍ରାମରେ ସାପ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ବିଦ୍ୟୁତ ଆଲୋକ ଅଧିକ ସମୟ ରାତିରେ ନରହିବା ଫଳରେ ଅନେକ ଲୋକ ରାତିରେ ଘରେ ଶୋଇଥିବା ବେଳେ ମଧ୍ୟ ସାପ କାମୁଡାର ଶୀକାର ହେଉଛନ୍ତି । ସେହିପରି ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ବିଦ୍ୟୁତ ଅଧିକ ସମୟ ନରହିବା ନେଇ ମଧ୍ୟ ଛାତ୍ର ଛାତ୍ରୀମାନେ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମୋଟାମୋଟି ଭାବେ ବିଦ୍ୟୁତ ଗ୍ରାହକ ଏବଂ ବିଭାଗ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ସହ ଉଭୟ ପରସ୍ପରର ସମସ୍ୟା ନେଇ ସହଯୋଗ ଲୋଡିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି । ଏଥିନେଇ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ପଡିବାକୁ ସାଧାରଣରେ ଦାବି ହେଉଛି ।

Related Post