Mon. Aug 17th, 2026

ଦୋକାନୀଙ୍କ ଅଭିନବ ବେପାର! ମୋବାଇଲ କିଣିଲେ ଦେଉଛନ୍ତି ପିଆଜ ଉପହାର

195 Views

ବାଲେଶ୍ବର: ପିଆଜର ଆକାଶଛୁଆଁ ଦରବୃଦ୍ଧିକୁ ନେଇ ସାରାଦେଶରେ ଏବେ ଜନଅସନ୍ତୋଷ। ବିରୋଧୀ ଦଳଗୁଡ଼ିକ ଏହାକୁ ଏକ ପ୍ରସଙ୍ଗ ବି କରିଛନ୍ତି। ଏମିତିକି ସରକାରଙ୍କୁ କଟାକ୍ଷ କରି ଅନେକ ସ୍ଥାନରେ ରାଜନୈତିକ ଦଳ ଓ ସାଧାରଣ ଜନତା ଅଭିନବ କୌଶଳ ଆପଣାଉଥିବା ଦେଖିବାକୁ ମିଳୁଛି। କେଉଁଠି ବିବାହ ଉତ୍ସବରେ ତ କେଉଁଠି ଜନ୍ମଦିନରେ, ଆଉ କେଉଁଠି ସହରର ବଡ଼ ସପିଂମଲ୍‌ରେ ଗ୍ରାହକଙ୍କୁ ପିଆଜ ଅଫର୍‌ କରାଯିବା ଖବର ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରୁଛି। ଖାଲି ସେତିକି ନୁହେଁ, ସୋସିଆଲ୍‌ ମିଡିଆରେ ପିଆଜକୁ ନେଇ ମଜାଦାର କଥା ବି ପୋଷ୍ଟିଂ କରୁଛନ୍ତି ଲୋକ। ଏମିତି ଏକ ସମୟରେ ବାଲେଶ୍ବର ମୋତିଗଞ୍ଜର ଜଣେ ମୋବାଇଲ ଦୋକାନୀ ପ୍ରିୟଙ୍କ କୋଟେଚା ନିଜର ଅଭିନବ ପ୍ରୟାସ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି।

ପ୍ରିୟଙ୍କ ତାଙ୍କ ଦୋକାନରେ ମୋବାଇଲ କିଣୁଥିବା ପ୍ରତି ଗ୍ରାହକଙ୍କୁ ଏକ କେଜି ପିଆଜ ଉପହାରସ୍ବରୂପ ପ୍ରଦାନ କରୁଛନ୍ତି। ଗତକାଲିଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ସେ ଗ୍ରାହକଙ୍କ ପାଇଁ ଏହି ଅଫର୍‌ ରଖିଥିବା ସୂଚନା ଦେଇଛନ୍ତି। ଏ ସଂପର୍କରେ ଶ୍ରୀ କୋଟେଚା କହିଛନ୍ତି, ପିଆଜ ଏବେ ବଜାରରେ ଏକ ଦୁର୍ଲଭ ସାମଗ୍ରୀ ଭାବେ ଉଭା ହୋଇଛି। ସାଧାରଣ ଗ୍ରାହକ ଏହାକୁ କିଣି ପାରୁନାହାନ୍ତି। ଏଭଳି ସ୍ଥିତିରେ ପ୍ରତିଯୋଗିତାମୂଳକ ବଜାରରେ ଦୋକାନକୁ ଅଧିକ ଗ୍ରାହକ ଆସିବା ପାଇଁ ସେ ‌ପିଆଜ ଅଫର୍‌ ରଖିଛନ୍ତି। ଯେଉଁ ଗ୍ରାହକ ଆମ ଦୋକାନରୁ ଗୋଟିଏ ମୋବାଇଲ୍‌ କିଣୁଛନ୍ତି ତାଙ୍କୁ ଗୋଟିଏ କେଜି ପିଆଜ ମାଗଣାରେ ଉପହାର ଭାବେ ଦେଉଛୁ ବୋଲି ସେ କହିଥିଲେ। ପିଆଜ ଯୋଗୁଁ ପୂର୍ବଦିନ ଅପେକ୍ଷା ତାଙ୍କ ଦୋକାନରେ ଅଧିକ ୨ଟି ମୋବାଇଲ ବିକ୍ରି ହୋଇଥିବା ଶ୍ରୀ କୋଟେଚା କହିଛନ୍ତି।

By amfnews

Related Post