Sun. Aug 2nd, 2026

ଦିଲ୍ଲୀରେ ମଦ କିଣିବାକୁ ଗହଳି ଅସମ୍ଭାଳ

330 Views

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ମଦ ଦୋକାନ ଖୋଲିବା ପରେ ହଜାର ହଜାର ଲୋ‌କ ମଦ କିଣିବା ପାଇଁ ଦୋକାନ ବାହାରେ ଗହଳି କରିଛନ୍ତି। ଦିଲ୍ଲୀର ମାଲବ୍ୟ ନଗର ଠାରେ ଥିବା ଏକ ମଦ ଦୋକାନରେ ଶତାଧିକ ଗ୍ରାହକ ରୁଣ୍ଡ ହେବାରୁ ଦୋକାନ ମାଲିକ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ ଡକାଇଥିଲେ। ଲୋକେ ଶାରୀରିକ ଦୂରତା ବଜାୟ ନ ରଖି ଜାତୀୟ ରାଜଧାନୀର ଅନ୍ୟାନ୍ୟ ଅନେକ ମଦ ଦୋକାନରେ ମଦ ପାଇଁ ଗହଳି କରିବାରୁ ମାଲିକମାନେ ପୁଲିସର ସହାୟତା ନେଇଛନ୍ତି।

ଦିଲ୍ଲୀର କରୋନାଭାଇରସ୍ ଅବରୁଦ୍ଧ ଜୋନ୍ ବାହାରେ ପ୍ରାୟ ୧୫୦ରୁ ଅଧିକ ମଦ ଦୋକାନ ଥିବା ଜଣାପଡ଼ିଛି।

ଆଜି ଠାରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସସର୍ତ୍ତ ଅନୁମତି ଦେଇଛନ୍ତି। ଏହାଛଡ଼ା କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟଙ୍କ ଘୋଷିତ ଲକ୍‌ଡାଉନ୍ କୋହଳ ମୁତାବକ ସୋମବାର ଠାରୁ ଦିଲ୍ଲୀ ସରକାର ତାହା ଲାଗୁ କରିଛନ୍ତି।

 

ଦିଲ୍ଲୀ ପର୍ଯ୍ୟଟନ ଏବଂ ପରିବହନ ଉନ୍ନୟନ ନିଗମ, ଦିଲ୍ଲୀ ରାଜ୍ୟ ଶିଳ୍ପ ଓ ଭିତ୍ତିଭୂମି ବିକାଶ ନିଗମ, ଦିଲ୍ଲୀ ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଡେଟ୍ ଏବଂ ଦିଲ୍ଲୀ ଖାଉଟି ସମବାୟ ‌ପାଇକାରୀ ଭଣ୍ଡାର ଆଦିଙ୍କୁ ମଧ୍ୟ ସର୍ବସାଧାରଣ ସ୍ଥାନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେବାକୁ କୁହାଯାଇଛି। କିନ୍ତୁ, ମଲ୍ ଓ ମାର୍କେଟ୍ କମ୍ପ୍ଲେକ୍ସ୍‌ ଖୋଲିବ ନାହିଁ କି, ସେଠାରେ ମଦ ବିକ୍ରୟ ହେବ ନାହିଁ।

ସଦ୍ୟତମ ସୂଚନା ଅନୁସାରେ, ଏବେ ପୁଲିସ ଦିଲ୍ଲୀରେ ଖୋଲିଥବା ମଦ ଦୋକାନ ବନ୍ଦ କରିବାକୁ ନିର୍ଦେଶ ଦେଇଛି।

ସେହିପରି କେନ୍ଦ୍ର ସରକାରଙ୍କ ଅନୁମତି ସତ୍ତ୍ବେ ସୋମବାର ଠାରୁ ମୁମ୍ବାଇରେ ମଦ ଦୋକାନ ନ ଖୋଲିବାକୁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

By amfnews

Related Post