Fri. Jul 3rd, 2026

ଦିନକୁ କୋଟିଏ ଲୋକଙ୍କ ପାଖରେ ପହଞ୍ଚୁଛି ‘କାଳିଆ’

232 Views

ଭୁବନେଶ୍ବର , ଜାନୁଆରୀ ୬ : ରାଜ୍ୟ ସରକାର କାଳିଆ ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ରେଡିଓ ମାଧ୍ୟମରେ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯେପରି ଅଧିକରୁ ଅଧିକ କୃଷକ ସାମିଲ୍‌ ହୋଇପାରିବେ ସେଥିପାଇଁ ରେଡିଓ ମାଧ୍ୟମରେ ପ୍ରାୟ ୧କୋଟି ଲୋକଙ୍କ ପାଖରେ ତଥ୍ୟ ପହଞ୍ଚାଉଛି ସମବାୟ ବିଭାଗ।

ସକାଳ, ଅପରାହ୍ନ ଓ ସଂଧ୍ୟାରେ ସମ୍ବାଦ ପରିବେଷଣ ପୂର୍ବରୁ ଏବଂ ପରେ ଏହିପରି ମୋଟ୍ ୬ଥର ୧୪ଟି ବେତାର କେନ୍ଦ୍ର ମାଧ୍ୟମରେ କାଳିଆର ପ୍ରଚାର ହେଉଛି। କିପରି କୃଷକମାନେ ଏଥିରେ ସାମିଲ୍‌ ହୋଇପାରିବେ, ଏଥିପାଇଁ କ’ଣ କରିବାକୁ ପଡ଼ିବ, ରାଜ୍ୟ ସରକାର କ’ଣ କ’ଣ ସୁବିଧା ସୁଯୋଗ ଦେ‌େବ ତାହା ଜଣାଯାଉଛି। ଏହାସହ ଦୁଇଟି ରେଡ଼ିଓ ବାର୍ତ୍ତା ପ୍ରତିଦିନ ୧୦ଥର ଲେଖାଏଁ ରାଜ୍ୟର ୧୨ଟି ଜିଲ୍ଲାରେ ଥିବା ଆକାଶବାଣୀର ମୁଖ୍ୟ ଚ୍ୟାନେଲ୍‌, ବିବିଧ ଭାରତୀ, ରେନ୍‌ବୋ ଏଫ୍‌ଏମ୍‌ ସମେତ ବିଭିନ୍ନ ଏଫ୍ଏମ୍‌ ଚ୍ୟାନେଲରେ ପରିବେଷଣ କରାଯାଉଛି। ରାଜ୍ୟର ସମସ୍ତ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ, ଅସମର୍ଥ କୃଷି ପରିବାର, ଭୂମିହୀନ କୃଷି ଶ୍ରମିକମାନେ ନିଜ ନିଜ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଯୋଜନାର ନିୟମ ଅନୁଯାୟୀ ସାମିଲ୍ ହେବାକୁ ସମବାୟ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, କାଳିଆ ଯୋଜନାରେ ଆଜି ସୁଦ୍ଧା ୧.୧୫ ଲକ୍ଷ କୃଷକ ସାମିଲ୍ ହୋଇସାରିଲେଣି। କାଳିଆ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ୮ଲକ୍ଷ ୬୬ହଜାରରୁ ଅଧିକ ଏସ୍‌ଏମ୍‌ଏସ୍ ପଠାଯାଇଥିବାବେଳେ ୮୪ହଜାର ଲୋକ କାଳିଆ ୱେବସାଇଟ୍ ବ୍ୟବହାର କରିସାରିଲେଣି।

By amfnews

Related Post