Thu. Jun 4th, 2026

ତୃତୀୟ ବିବାହ କରିବାକୁ ଯାଇଥିଲେ, ବେଦୀରୁ ଉଠାଇନେଲା ପୁଲିସ୍‌

302 Views

ଖୋର୍ଦ୍ଧା : ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କଲେ ଯୁବକ। ମାତ୍ର ଦ୍ୱିତୀୟ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେବାରୁ ସେ ଥାନାର ଦ୍ୱାରସ୍ଥ ହେଲେ। ଏହା ମଧ୍ୟରେ ତୃତୀୟ ବିବାହ କରିବାକୁ ମନ ବଳାଇଲେ ଯୁବକ। ଏଥିଲାଗି କନିଆ ଖୋଜା ସରିଥିବା ବେଳେ ବର ବେଶରେ ଯୁବକ ବି ପହଞ୍ଚି ଯାଇଥିଲେ ବାହା ବେଦୀରେ। ଖାଲି ହାତଗଣ୍ଠି ପଡ଼ିବା ବାକି ଥିଲା। ହେଲେ ସବୁ ଫସର ଫାଟିଗଲା।

ସ୍ୱାମୀଙ୍କ ବିବାହ ଖବର ପାଇ ଦ୍ୱିତୀୟ ପତ୍ନୀଙ୍କ ପରିବାର ଥାନାର ଦ୍ୱାରସ୍ଥ ହେଲେ। ଏହାପରେ ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଧଳାପଥର ଅଞ୍ଚଳରେ।

ସୂଚନା ଅନୁସାରେ, ବୋଲଗଡ଼ ଥାନା ଅଞ୍ଚଳର ଶିବ ପ୍ରସାଦ ମଙ୍ଗରାଜ ନାମକ ଜଣେ ବ୍ୟକ୍ତି ପୂର୍ବରୁ ୨ ଜଣଙ୍କୁ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ସେ ଦେଢ଼ ବର୍ଷ ପୂର୍ବେ ଦ୍ୱିତୀୟ ବିବାହ କରିଥିଲେ ବୋଲି ଜଣାପଡ଼ିଛି। ତେବେ ଦ୍ୱିତୀୟ ପତ୍ନୀ ମଙ୍ଗରାଜଙ୍କ ବିରୋଧରେ ବୋଲଗଡ଼ ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏସବୁ ଭିତରେ ମଙ୍ଗରାଜ କାହାକୁ କିଛି ନ ଜଣାଇ ଫତେଗଡ଼ ଅଞ୍ଚଳର ଜଣେ ଯୁବତୀଙ୍କୁ ତୃତୀୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତକାଲି ବିବାହ ଥିଲା।

ମଙ୍ଗରାଜ ତୃତୀୟ ବିବାହ କରୁଥିବା ଖବର ପାଇ ମଙ୍ଗରାଜଙ୍କ ଦ୍ୱିତୀୟ ପତ୍ନୀଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ଧଳାପଥର ଫାଣ୍ଡି ପୁଲିସ୍‌ ବିବାହ ସ୍ଥଳରେ ପହଞ୍ଚି ବାହା ବେଦୀରୁ ମଙ୍ଗରାଜଙ୍କୁ ଥାନାକୁ ଉଠାଇ ଆଣିଥିଲା।

By amfnews

Related Post