Mon. Apr 27th, 2026

ତାମିଲନାଡୁରେ ୪ ଦାଦନ ବନ୍ଧକ, ଉଦ୍ଧାର ପାଇଁ ଏତଲା ଦେଲେ ପରିବାର

218 Views

ମଇଦଲପୁର/ନବରଙ୍ଗପୁର, ଜାନୁଆରୀ ୧୪: ନରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ବୁଟିଆଗୁଡା ଗାଁର ୪ ଦାଦନ ତାମିଲନାଡୁରେ ବନ୍ଧକ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ମଇଦଲପୁର ଫାଣ୍ଡିରେ ଏତଲା ଦେଇଛନ୍ତି।
ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବୁଟିଆଗୁଡା ଗାଁର ତିଲ ମାଝୀଙ୍କ ସ୍ତ୍ରୀ ଜୟନ୍ତୀ ମାଝୀ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ପଦୁ ମାଝୀ(୧୮) ଓ ସେହି ଗ୍ରାମର ଅନ୍ୟ ୯ଜଣଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ଅକ୍ଟୋବର ୨୦ ତାରିଖରେ ସେହି ଗ୍ରାମର ସୋମନାଥ ମାଳି ରାଇଘର ଥାନା ଅନ୍ତର୍ଗତ ଚାଟଲି ଗାଁ ର ସବାରାମ ହରିଜନଙ୍କ ନିକଟରେ ଛାଡିଥିଲେ।

ସବାରାମ ହରିଜନ ସେମାନଙ୍କୁ ନେଇ ରାୟପୁରରେ ରହୁଥିବା ସୋମନାଥ ନାମକ ଜଣେ ବ୍ୟକ୍ତି ପାଖରେ ଛାଡି ଚାଲି ଆସିଥିଲେ। ପରେ ସୋମନାଥ ଏହି ୧୦ ଜଣଙ୍କୁ ତାମିଲନାଡୁର ତନରଗୁଲ ନିକଟରେ ଜଣେ ବୋରୱେଲ ସାହୁକାରଙ୍କୁ ବିକ୍ରୀ କରିଦେଲା। ସେଠାରେ ୨ମାସ ହେବ ବୋରୱେଲ ଖନନ କାମରେ ନିୟୋଜିତ ହୋଇଥିବା ବେଳେ ତାଙ୍କୁ ଠିକ୍ ଭାବେ ମଜୁରୀ ମିଳିନଥିଲା। ତେଣୁ ଗ୍ରାମର ଜଗଦୀଶ ପୂଜାରୀ(୧୫), ଖଗପତି ପୂଜାରୀ(୧୬), ଦେବେନ୍ଦ୍ର ମାଳି(୧୫), ତୁଳସୀ ମାଳି(୧୯), ଗୁନା ମାଳି(୧୬) ଓ ଭରତ ମାଳି(୧୭) କୌଣସି ମତେ ସେଠାରୁ ଖସି ପଳାଇ ଆସିଥିଲେ। ତେବେ ସେଠାରେ ପଦୁ ମାଝୀଙ୍କ ସମେତ ଆଉ ୩ଜଣ ଯୁବକ ଲଛମନ ମାଝୀ(୧୯), ବନମାଳି କୁମର୍ଲା(୩୦) ଓ ଚୈତନ ମାଳି(୧୯)ଙ୍କୁ ସେଠାରେ ବନ୍ଧକ ରଖାଯାଇଛି। ସେମାନଙ୍କୁ ଠିକ୍ ଭାବେ ଖାଇବାକୁ ଦିଆନଯାଇ ଶାରୀରିକ ନିର୍ଯାତନା ଦିଆଯାଉଛି।

ଅନ୍ୟ ୬ ଜଣ ଆସିଲେ ସେମାନଙ୍କୁ ଛଡାଯିବ ବୋଲି ସାହୁକାର କହୁଥିବା ସେମାନେ ଅଭିଯୋଗ କରିଛନ୍ତି। ପରିବାର ଲୋକେ ଦଲାଲ ସମନାଥ ମାଳି ଓ ସବାରାମ ହରିଜନଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କଲେ ଆମ୍ଭେ ଜାଣିନାହୁଁ ବୋଲି ସେମାନେ କହୁଥିବା ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଗତ ୧୫ ଦିନ ପୂର୍ବେ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ କୌଣସି ପଦକ୍ଷେପ ନନେବାରୁ ପ୍ରଶାସନ ଓ ପୁଲିସ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଛନ୍ତି। ପ୍ରକାଶ ଥାଉକି, ନବରଙ୍ଗପୁର ଜିଲ୍ଲାର ବହୁ ଲୋକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇ ଆଉ ଫେରୁନାହାନ୍ତି।

By amfnews

Related Post