Sat. May 4th, 2024

ଢେଙ୍କାନାଳ ସାମ୍ବାଦିକ ସଂଘ ନିର୍ବାଚନ

183 Views

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘର ନିର୍ବାଚନ ଶୁକ୍ରବାର ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ପଟ୍ଟନାୟକ ସଭାପତି ଏବଂ ପ୍ରତାପ ବରାଳ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରସନ୍ନ ପଟ୍ଟନାୟକ (ପଟେଲ୍) ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଶଶୀମୌଳି ରଥଙ୍କୁ ୨୩ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି ।

ପ୍ରସନ୍ନ ୯୦ ଖଣ୍ଡ ଭୋଟ୍ ପାଇଥିବାବେଳେ ଶଶୀମୌଳି ୬୭ ଖଣ୍ଡ ଭୋଟ୍ ପାଇଥିଲେ । ସେହିପରି ସାଧାରଣ ସଂପାଦକ ପଦବୀ ପାଇଁ ୫ ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଏଥିରେ ପ୍ରତାପ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସତ୍ୟସ୍ୱରୂପ ଦାସଙ୍କୁ ୩୧ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି । ପ୍ରତାପ ୮୯ ଖଣ୍ଡ ଭୋଟ୍ ପାଇଥିବାବେଳେ ସତ୍ୟସ୍ୱରୂପଙ୍କୁ ୫୮ ଖଣ୍ଡ ଭୋଟ୍ ମିଳିଥିଲା । ଅନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ସନ୍ତୋଷ ଶତପଥୀଙ୍କୁ ୮ ଖଣ୍ଡ, ଦିଲ୍ଲୀପ ମିଶ୍ର ଓ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ମାତ୍ର ଖଣ୍ଡିଏ ଲେଖାଏଁ ଭୋଟ୍ ମିଳିଛି ।

ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ଠାରେ ପୂର୍ବାହ୍ନ ୧୦ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଦିବା ୧ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଜିଲ୍ଲାର ମୋଟ୍ ୧୬୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୫୭ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ । ମତଦାନ ହାର ଥିଲା ୯୫ ପ୍ରତିଶତ । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କୃଷ୍ଣକୁମାର ମିଶ୍ର ନିର୍ବାଚନକୁ ପରିଚାଳନା କରିଥିବାବେଳେ ପ୍ରଦୀପ କୁମାର ଦାଶ ଓ ବେଣୁଧର ସାହୁ ତାଙ୍କୁ ସହଯୋଗ କରିଥିଲେ ।

Related Post