Sun. May 24th, 2026

ଡ୍ୟୁଟି ସମୟରେ ମାତାଲ ହେଲେ କନଷ୍ଟେବଲ; ସାର୍ଟ ଖୋଲିଲେ, ଗାଳିଗୁଲଜ ବି କଲେ

225 Views

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବଡ଼ସାହିରେ ପ୍ରସିଦ୍ଧ ହିଙ୍ଗୁଳା ପୂଜା ଅବସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଥିଲେ ପୁଲିସ୍‌। ତେବେ ସେମାନଙ୍କ ମଧ୍ୟରୁ ଜଣେ କନଷ୍ଟେବଲ୍ ମାତାଲ୍‌ ଅବସ୍ଥାରେ ଥିବା ବେଳେ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କନଷ୍ଟେବଲ୍‌ଜଣକ ନିଜକୁ ସମ୍ଭାଳିବା ପରିସ୍ଥିତିରେ ନ ଥିବା ବେଳେ ସେ ଲୋକଙ୍କୁ କିଭଳି ସୁରକ୍ଷା ଦେବା ସହ ଅପରାଧୀଙ୍କ ଉପରେ ନଜର ରଖିଥିବେ ତାହା ଭିଡିଓ ଦେଖୁଥିବା ଲୋକ ନିହାତି ଭାବେ ଅନୁମାନ କରିପାରିବେ।

ସୂଚନା ଅନୁସାରେ, ଏହି ମଦୁଆ କନଷ୍ଟେବଲଙ୍କ ନାଁ ଗଗନ ବିହାରୀ ନାୟକ।  ସେ ମୟୂରଭଞ୍ଜ ପୁଲିସ୍‌ର OAPF ବିଭାଗରେ କନଷ୍ଟେବଲ ଭାବେ କାର୍ଯ୍ୟ କରୁଛନ୍ତି । ସେ ବେକାର ଯୁବକଙ୍କୁ ଚାକିରି ସ୍କିମ୍‌ରେ କିଛି ବର୍ଷ ପୂର୍ବେ ଚାକିରି ପାଇଥିଲେ । ଡ୍ୟୁଟି ସମୟରେ ମଦ ପିଇ ଗଗନ ନିଜ ସାର୍ଟ ଖୋଲିଦେଇଥିବା ବେଳେ କିଛି ସାଧାରଣ ଲୋକ ତାଙ୍କୁ ସାର୍ଟ ପିନ୍ଧାଇଥିଲେ।  ଏପରିକି ଡ୍ୟୁଟି ସମୟରେ ମାତାଲ ଅବସ୍ଥାରେ ସର୍ବ ସମ୍ମୁଖରେ ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ମଧ୍ୟ ସେ  ପଛାଇ ନ ଥିଲେ।

ଘଟଣାସ୍ଥଳରୁ କେହି ଜଣେ ବ୍ୟକ୍ତି ମୋବାଇଲ୍‌ରେ ସୁଟିଂ କରି ଏହାକୁ ସୋଶାଲ୍‌ ମିଡିଆରେ ଛାଡିଦେଇଥିଲେ । ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଏକାଧିକ ଅଭିଯୋଗ ରହିଛି। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ  ।

By amfnews

Related Post