Tue. Aug 18th, 2026

ଡୋପ ଟେଷ୍ଟରେ ଧରାପଡ଼ିବାପରେ ଓଡ଼ିଶାର ଭାରୋତ୍ତୋଳକ କେ ରବିକୁମାର ୪ ବର୍ଷପାଇଁ ବାସନ୍ଦ

205 Views

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆୟୋଜିତ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଥିବା ଓଡ଼ିଶାର ଭାରୋତ୍ତୋଳକ କେ ରବିକୁମାର ଡୋପ ଟେଷ୍ଟରେ ଧରାପଡ଼ିବାପରେ ନାଡା ପକ୍ଷରୁ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିବାର ଖବର ମିଳିଛି । ଖାଲି ସେତିକି ନୁହେଁ,ରବି କୁମାର ୨୦୨୦ ଟୋକିଓ ଅଲିମ୍ପିକ୍ସରୁ ବାଦ ପଡ଼ିପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ବିଶାଖାପାଟଣାରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନରେ ରବି କୁମାର ୮୯ କେଜି ବର୍ଗରେ ମୋଟ ୩୪୨ କେଜି (୧୫୦+୧୯୨) ଭାରୋତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଜାତୀୟ କୀର୍ତ୍ତିମାନ ନିଜ ନାମରେ କରିଥିଲେ। ଏହି ସଫଳତା ପାଇଁ ତାଙ୍କୁ ଅଲିମ୍ପିକ୍ ଯୋଗ୍ୟତା ଜାତୀୟ ଶିବିରରେ ସ୍ଥାନ ମିଳିଥିଲା।

ଅର୍ଜୁନ ପୁରସ୍କାର ପ୍ରାପ୍ତ ଭାରୋତ୍ତୋଳକ କେ ରବି କୁମାର ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ନପାରି ଏକାଦଶ ସ୍ଥାନରେ ରହିଥିଲେ। ଏହାପରେ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଅଲିମ୍ପିକରେ ପଦକ ହାସଲ କରିବାର ସ୍ବପ୍ନ ତାଙ୍କର ଅଧୁରା ରହିଛି।

By amfnews

Related Post