Tue. Jul 28th, 2026

ଡଙ୍କାରୀ ନେଇ ସରକାରଙ୍କ ବିରୋଧରେ ତେଜୁଛି ଜନଅସନ୍ତୋଷ: ଫାଇଦା ନେବା ରାସ୍ତାରେ ବି.ଜେ.ପି

372 Views

ଯାଜପୁର,୨୫/୧୦ :ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀରେ କୋଟି କୋଟି ଟଙ୍କାର କଳାପଥରର ଚୋରା କାରବାର ଏବଂ ଏଠାରେ ପ୍ରତିଷ୍ଠା ହେବାକୁ ଥିବା ରାଷ୍ଟ୍ରର ବୃହତମ ତୈଳ ପ୍ରକଳ୍ପକୁ କରାଇ ନଦେବାର ପ୍ରଶାସନିକ ଷଡଯନ୍ତ୍ର ପାଇଁ ରାଜ୍ୟର କ୍ଷମତାସୀନ ନବୀନ ପଟ୍ଟନାୟକ ସରକାର ବିରୋଧରେ ଦିନକୁ ଦିନ ଜନଅସନ୍ତୋଷ ତେଜିବାରେ ଲାଗିଛି ।

ଗୁରୁବାର ଏହା ବିରୋଧରେ ବ୍ଲକ ସମ୍ମୁଖରେ ବି.ଜେ.ପି ତରଫରୁ ଏକ ଜନଅନ୍ଦାଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ସ୍ପଷ୍ଟ ଭାବେ ଅଭିଯୋଗ କରାଯାଇଥିଲା ଯେ, ଏଠାରେ ଦେଶର ବୃହତମ ତୈଳ ପ୍ରକଳ୍ପ ନହେଲେ ୧୦ ଜଣ ଲାଭବାନ ହେବେ । ସେମାନେ ହେଲେ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ, ତହସିଲଦାର, ବିଧାୟକଙ୍କ ଅତ୍ୟନ୍ତ ସହଯୋଗୀ ନୀରଂଜନ ରାଉତ, ନାରାୟଣ ରାଉତ, ରଂଜନ କୁମାର ଜେନା, ଶ୍ରୀବାସ ଜେନା, ମହେନ୍ଦ୍ର ସ୍ୱାଇଁ, ଜ୍ୟୋସ୍ନା ଜେନା, ମନୋହର ରେଡ୍ଡି ଓ କିଛି କ୍ରସର ମାଲିକ ।

ରାମକୋ ଭଳି ଜନସ୍ୱାର୍ଥ ବିରୋଧୀ ଓ ପ୍ରଦୂଷଣକାରୀ ଶିଳ୍ପକୁ ବିଧାୟକ ସମର୍ଥନ କରି ଧର୍ମଶାଳାକୁ ସର୍ବସ୍ୱାନ୍ତ କରିବାକୁ ଉଦ୍ୟମ ଚଲାଇଥିବା ବେଳେ ଏଠାରେ ରାଷ୍ଟ୍ରୀୟ ସ୍ୱାର୍ଥରକ୍ଷା ପାଇଁ ହେଉଥିବା ପ୍ରକଳ୍ପକୁ ଜମି ଯୋଗାଇ ନଦେବା ଷଡଯନ୍ତ୍ର ନବୀନ ସରକାରର ଅସଲ ସ୍ୱରୂପକୁ ପଦାରେ ପକାଇଛି ବୋଲି ବି.ଜେ.ପି ର ବକ୍ତାମାନେ ମତ ପ୍ରକାଶ କରିଥିଲେ । ବି.ଜେ.ପି ଜିଲ୍ଲା ସାଧାରଣ ସଂପାଦକ ସର୍ବେଶ୍ୱର ବେହୁରାଙ୍କ ଡାକରାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବି.ଜେ.ପିର ବରିଷ୍ଠ ନେତା ଉଦୟନାଥ ସାହୁ ପ୍ରମୁଖ ଉଦବେଦନ ଦେଇଥିଲେ । ଏହାପରେ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ପ୍ରକାଶ ଥାଉ କି, ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ବି.ଜେ.ଡିର ନେତା ହୋଇ ମଧ୍ୟ ଏହି ପାହାଡ ପର୍ବତ ସୁରକ୍ଷା ନେଇ ନିୟମିତ ସଂଗ୍ରାମ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଆବଶ୍ୟକ ଠିକଣା କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ସରକାର ଓ ସରକାରୀ କଳ ସ୍ୱଚ୍ଛତା ବଜାୟ ରଖି ନଥିବାର ସାଧାରଣରେ ଅଭିଯୋଗ ହେଉଛି । ଏହାର ସୁଯୋଗରେ ଡଙ୍କାରୀ ନେଇ ସରକାର ବିରୋଧରେ ସୃଷ୍ଟି ହୋଇଥିବା ଜନଅସନ୍ତୋଷରୁ ଏବେ ବି.ଜେ.ପି ଫାଇଦା ନେବାକୁ ସଫଳ ଉଦ୍ୟମ ଆରମ୍ବ କରିଛି ।

By amfnews

Related Post