Sun. Jul 26th, 2026

ଠାକରେ ପରିବାରର ନୂଆ ଇତିହାସ, ନାମାଙ୍କନ ଦାଖଲ କଲେ ଆଦିତ୍ୟ ଠାକରେ

209 Views

ମୁମ୍ବାଇ  : ମହାରାଷ୍ଟ୍ର, ଶିବସେନା ଓ ଠାକରେ ପରିବାର ରାଜନୀତିରେ ନୂଆ ପର୍ଦ୍ଦ ଯୋଡ଼ି ହୋଇଯାଇଛି। ଠାକରେ ପରିବାରର ଇତିହାସରେ ପ୍ରଥମଥର ପାଇଁ କୌଣସି ସଦସ୍ୟ ସିଧାସଳଖ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମଇଦାନକୁ ଓହ୍ଲାଇଛନ୍ତି। ସେ ୱାର୍ଲି ବିଧାନସଭାରୁ ପ୍ରାର୍ଥୀ ହୋଇଛନ୍ତି।

ଆଜି ଏଥିପାଇଁ ଦଳୀୟ କର୍ମୀଙ୍କ ନେତୃତ୍ୱରେ ଆଦିତ୍ୟ ଠାକରେ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସହ ଶିବସେନା ଆଜି ମୁମ୍ବାଇରେ ନିଜର ଶକ୍ତି ପ୍ରଦର୍ଶନ କରିଛି। ଆଦିତ୍ୟଙ୍କ ସହ ତାଙ୍କ ବାପା ଉଦ୍ଧବ ଠାକରେ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ। ସେହିପରି ଆଦିତ୍ୟ ନାମାଙ୍କନ ଦାଖଲ କରିବା ସମୟରେ ବିଜେପିର ମୁମ୍ବାଇ ମୁଖ୍ୟ ମଙ୍ଗଲ ପ୍ରଭାତ ଉପସ୍ଥିତ ରହିଥିଲେ।

ଆଜି ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ ପୂର୍ବରୁ ଆଦିତ୍ୟ ପ୍ରଥମେ ବାଲାସାହେବ ଠାକରେଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଏକ ଖୋଲା ଜିପ୍‌ରେ ଦଳୀୟ କର୍ମୀଙ୍କ ଗହଣରେ ଜିଲ୍ଲାପାଳ ଅଫିସ ଅଭିମୁଖେ ଯାଇଥିଲେ। ଆଦିତ୍ୟ ଠାକରେଙ୍କ ପ୍ରାର୍ଥିତ୍ୱକୁ ବିଜେପି ସମର୍ଥନ କରୁଛି। କାରଣ ବିଜେପି ଓ ଶିବସେନେ ଏଥର ଏକାଠି ନିର୍ବାଚନ ଲଢ଼ୁଛନ୍ତି। ପୂର୍ବରୁ ଉଦ୍ଧବ ଠାକରେଙ୍କ ଶିବସେନା ନିର୍ବାଚନ ଲଢ଼ୁଥିଲେ ହେଁ କେବେ ହେଲେ ଠାକରେ ପରିବାରର କୌଣସି ସଦସ୍ୟ ପ୍ରାର୍ଥୀ ହୋଇ ନଥିଲେ। ପ୍ରଥମଥର ପାଇଁ ଆଦିତ୍ୟ ନିର୍ବାଚନ ଲଢ଼ିବାକୁ ମଇଦାନକୁ ଓହ୍ଲାଇଛନ୍ତି।

ଅନ୍ୟପକ୍ଷରେ ନାମାଙ୍କନ ଦାଖଲ ପରେ ଆଦିତ୍ୟ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ର ଖୁବଶୀଘ୍ର ଶିବସେନାରୁ ମୁଖ୍ୟମନ୍ତ୍ରୀ ଦେଖିବ। ବିଜେପି-ଶିବସେନେ ଏକାଠି ଲଢ଼ୁଥିଲେ ହେଁ ବିଜେପି ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ଏବେ ଆଦିତ୍ୟଙ୍କ ଏଭଳି ବୟାନ ନିର୍ବାଚନ ପରେ ତିକ୍ତତା ସୃଷ୍ଟି କରିବାର ଆଶଙ୍କାକୁ ଦୃଢ଼ିଭୂତ କରିଛି।

By amfnews

Related Post