Sun. Oct 4th, 2026

ଟେଲିଭିଜନ୍‌ ସମ୍ବାଦ ଉପସ୍ଥାପିକାଙ୍କ ପାଖକୁ ଅଶ୍ଳୀଳ ମେସେଜ୍‌ ପଠାଇ ଜଣେ ଗିରଫ

207 Views

ମୁମ୍ବାଇ  : ମୁମ୍ବାଇର ଏକ ଟେଲିଭିଜନ୍‌ ନିଉଜ୍‌ ଚାନେଲ୍‌ର ଜଣେ ଉପସ୍ଥାପିକାଙ୍କ ପାଖକୁ ଫେସ୍‌ବୁକ୍‌ ଜରିଆରେ ଅଶ୍ଳୀଳ ବାର୍ତ୍ତା ପଠାଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ପଶ୍ଚିମବଙ୍ଗର ଜଣେ ୪୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଥିବା କଥା ରବିବାର ଦିନ ଜଣେ ସରକାରୀ କର୍ତ୍ତୃପକ୍ଷ କହିଛନ୍ତି। ୪୦ ବର୍ଷିୟ ଅତନୁ ରବୀନ୍ଦ୍ର କୁମାର ନାମକ ସେ ବେକାର ବ୍ୟକ୍ତିଙ୍କୁ କଫ୍‌ ପରେଡ୍‌ ପୁଲିସ ଗିରଫ କରିଛି।

ଅଭିଯୋଗକାରିଣୀ ଜଣାଇଛନ୍ତି ଯେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରୁ ଅଭିଯୁକ୍ତ ତାଙ୍କ ନିକଟକୁ ଅଶ୍ଳୀଳ ବାର୍ତ୍ତା ପଠାଉଥିଲେ। ସେ ତାଙ୍କୁ ବ୍ଲକ୍‌ କରି ଦେବାରୁ ଅଭିଯୁକ୍ତ ଆଉ ତିନୋଟି ପ୍ରୋଫାଇଲ୍‌ ଖୋଲି ପୁଣି ସେଭଳି ବାର୍ତ୍ତା ପ୍ରେରଣ କଲେ। ପୀଡ଼ିତା ଏକ ତାଙ୍କ ସ୍ୱାମୀଙ୍କୁ ଜଣାଇଲା ପରେ ସେ ଅଭିଯୁକ୍ତଙ୍କୁ ଅନ୍‌ଲାଇନ୍‌ରେ ଗାଳିଫଜିତ୍‌ କଲେ। କିନ୍ତୁ ଏଥର ଅଭିଯୁକ୍ତ ଉଭୟ ପତି ଓ ପତ୍ନୀଙ୍କ ପାଖକୁ ଅଶ୍ଳୀଳ ବାର୍ତ୍ତା ପ୍ରେରଣ କଲେ।

ଏଥିରେ ଅସ୍ଥିର ହୋଇ ଟିଭି ଉପସ୍ଥାପିକା କଫ୍‌ ପରେଡ୍‌ ଥାନାରେ ଏତଲା ଦେଲେ। ଆଇପିସି ଧାରା ୩୫୪, ୫୦୬, ୫୦୪ ଓ ୬୬ କ୍ରମେ ପୁଲିସ ମାମଲା ରୁଜୁ କରିଥିଲା।ତଦନ୍ତ କରି ପୁଲିସ ଜାଣିଲା ଫେସ୍‌ବୁକ୍‌ ଆକାଉଣ୍ଟ୍‌ ପଶ୍ଚିମବଙ୍ଗରେ ତିଆରି କରାଯାଇଥିଲା। ତଦନୁଯାୟୀ ପୁଲିସ ଟିମ୍‌ ସେଠାକୁ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଶନିବାର ଦିନ କୁମାରଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ମଙ୍ଗଳବାର ଯାଏଁ ପୁଲିସ ହାଜତକୁ ପଠାଇ ଦେଇଛି।

By amfnews

Related Post