Sun. Aug 23rd, 2026

ଝିଙ୍କ ଧରିବାକୁ ଗୁମ୍ଫାରେ ପଶିଥିବା ଶିକାରୀ ମୃତ୍ୟୁ

1,025 Views

ମାଲକାନଗିରି : ଝିଙ୍କ ଧରିବାକୁ ଯାଇ ଶନିବାର ଦିନ ମାଲକାନଗିରି ବ୍ଲକ୍‌ ଅନ୍ତର୍ଗତ ଝରାପାଲି ଗ୍ରାମର ଜଣେ ଲୋକ ପ୍ରାଣ ହରାଇଛନ୍ତି ଓ ଅନ୍ୟ ଜଣେ ଅସୁସ୍ଥ ହୋଇପଡ଼ିଛନ୍ତି। ମୃତବ୍ୟକ୍ତି ହେଲେ ରାମଚନ୍ଦ୍ର ମାଢ଼ୀ। ଅସୁସ୍ଥ ବ୍ୟକ୍ତିଜଣକ ହେଉଛନ୍ତି ଶିଙ୍ଗା ମାଢ଼ୀ। ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ଝରାପାଲି ଗ୍ରାମ ସଂଲଗ୍ନ ଜଙ୍ଗଲରେ କିଛି ଲୋକେ ଶିକାର ଖୋଜୁଥିବା ବେଳେ ଗୋଟାଏ ପାହାଡ଼ ଗୁମ୍ଫାରେ ଝିଙ୍କ ରହୁଥିବା ଦେଖିଥିଲେ। ସେଠାରୁ ଝିଙ୍କଗୁଡ଼ିକୁ ବାହାର କରାଇବା ପାଇଁ ଶିକାରୀମାନେ ଧୂଆଁ ଦେବାରୁ ଗୋଟିଏ ଝିଙ୍କ ବାହାରି ଆସିଲା। ତାକୁ କାବୁ କରିବା ପରେ ଅନ୍ୟ ଝିଙ୍କଗୁଡ଼ିକୁ ଧରିବା ପାଇଁ ଧୂଆଁ ଦିଆଗଲା, କିନ୍ତୁ ଆଉ ଝିଙ୍କ ବାହାରିଲେ ନାହିଁ।

ଏଥର ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁମ୍ଫା ଭିତରେ ପ୍ରବେଶ କରି ଧୂଆଁ ଦେଲେ। ଅଫେରିଆ ଗୁମ୍ଫାରେ ଧୂଆଁ ପ୍ରକୋପ ବଢ଼ିବାରୁ ଭିତରକୁ ଯାଇଥିବା ଦୁଇ ଶିକାରୀ ରୁନ୍ଧି ହୋଇ ଅଣନିଃଶ୍ୱାସୀ ହୋଇ ପଡ଼ିଯାଇଥିଲେ। ତାଙ୍କର ଅନ୍ୟ ସାଥୀମାନେ ଏ ସଂକ୍ରାନ୍ତରେ କାହାକୁ କିଛି କହି ନ ଥିଲେ।

ଦୁହେଁ ଘରକୁ ନ ଫେରିବାରୁ ଆଜି ସକାଳୁ ଗ୍ରାମବାସୀମାନେ ବଣକୁ ଯାଇ ଗୁମ୍ଫା ମଧ୍ୟରୁ ସେମାନଙ୍କୁ ଶବ ଉଦ୍ଧାର କରିଥିଲେ। ସେତେବେଳେ ରାମଚନ୍ଦ୍ରଙ୍କ ଦେହରେ ଜୀବନ ନ ଥିଲା। ଶିଙ୍ଗା ମାଢ଼ୀ ଅଚେତ ପ୍ରାୟ ଅବସ୍ଥାରେ ଥିଲେ।

ପୁଲିସ କିଂବା ବନବିଭାଗକୁ ନ ଜଣାଇ ଗ୍ରାମଲୋକେ ରାମଚନ୍ଦ୍ରଙ୍କର ଶବସତ୍କାର ପାଇଁ ଆୟୋଜନ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ରେଞ୍ଜର୍‌ ବାସୁଦେବ ନାୟକ ସଦଳବଳେ ଝରାପାଲି ଯାଇଥିଲେ। ଶିକାର ନୁହେଁ ଗାଈଚରାଇବା ବେଳେ ପାହାଡ଼ରୁ ଖସି ରାମଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା କଥା କହି ସେମାନେ ବନ ବିଭାଗ ଅଧିକାରୀଙ୍କୁ ଫେରଇ ଦେଇଛନ୍ତି। ଘଟଣା ସଂକ୍ରାନ୍ତରେ ତଦନ୍ତ ଚାଲିଛି। ଧରିଥିବା ଝିଙ୍କଟିକୁ ମଧ୍ୟ ଶିକାରୀମାନେ ଛାଡ଼ି ଦେଇଛନ୍ତି ବୋଲି କୁହାଯାଉଛି।

By amfnews

Related Post