Thu. May 14th, 2026

ଝାରସୁଗୁଡ଼ା: ଯୁବକଙ୍କୁ ବୀଭତ୍ସଭାବେ ହତ୍ୟା

266 Views

ଝାରସୁଗୁଡ଼ା  :  ଆଜି ସକାଳେ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ମୁଣ୍ଡାପଡ଼ା ଗାଁ ମୁଣ୍ଡରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଯୁବକଙ୍କୁୁ ଠେଙ୍ଗାରେ ପିଟିବା ସହିତ ପାଣିରେ ବୁଡ଼ାଇ ହତ୍ୟା କରିବା ପରେ ରାସ୍ତାକଡ଼ରେ ପିଙ୍ଗି ଦିଆଯାଇଛି। ଖବର ପାଇ ପୁଲିିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ,ବଡ଼ମାଳ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମର ବିଜୟ ଭୋଇ (୪୦ ବର୍ଷ) ପ୍ରାୟ ଦେଢ଼ ବର୍ଷ ତଳେ ନିକଟସ୍ଥ ମଲଦା ଜଙ୍ଗଲରେ ସଂଘଟିତ ଏକ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ନେଇ ଗିରଫ ହୋଇ ଜେଲରେ ଥିଲୋ। ପ୍ରାୟ ୬ ମାସ ହେବ ବିଜୟ ଜାମିନ୍‌ରେ ଜେଲରୁ ମୁକୁଳି ଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ବିଜୟଙ୍କୁ କେତେକ ଯୁବକ ଠେଙ୍ଗାରେ ପିଟି ଆହତ କରିବା ପରେ ପାଣିରେ ବୁଡ଼ାଇ ତାଙ୍କୁ ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ମୁଣ୍ଡାପଡ଼ା-ହିରମା ରାସ୍ତାରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ।

ଏ ନେଇ ପୁଲିସ ସୂଚନା ପାଇବା ପରେ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୁଣ୍ଡାପଡ଼ାର ଶବର ମୁଣ୍ଡା ଓ ଅଜୟ ବରିହାଙ୍କୁ ଅଟକ ରଖି ପଚରା ଉଚରା କରୁଛି। ମଲଦା ଜଙ୍ଗଲ ହତ୍ୟାକାଣ୍ଡ ସହିତ ବିଜୟଙ୍କ ହତ୍ୟାକାଣ୍ଡର ସମ୍ପର୍କ ଥିବା ପୁଲିସ ଅନୁମାନ କରୁଛି।

By amfnews

Related Post