Tue. Jul 14th, 2026

ଜେଲରେ ରକ୍ତାକ୍ତ ସଂଘର୍ଷ, ୫୭ ମୃତ, ଅଧିକାଂଶ କଏଦୀଙ୍କ ମୁଣ୍ଡରୁ ଗଣ୍ଡି ଅଲଗା

190 Views

ରିଓ ଡେ ଜାନେଇରୋ: ବ୍ରାଜିଲର ଅଲଟାମୀରାରେ ଥିବା ଏକ ଜେଲ୍‌ରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଜେଲରେ ଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ୫୭ ଜଣ କଏଦୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୧୬ ଜଣଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଛି।

ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ସନ୍ଧ୍ୟା ୭ଟା ବେଳେ ଅଲଟାମୀରାରେ ଥିବା ଜେଲ୍‌ରେ ପ୍ରଥମେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଜେଲରେ ବନ୍ଦୀ ଥିବା ଗୋଟିଏ ଗୋଷ୍ଠୀ ପ୍ରଥମେ ପ୍ରତିପକ୍ଷ ଗ୍ୟାଙ୍ଗର ପ୍ରକୋଷ୍ଠରେ ନିଆଁ ଲଗାଇ ଦେଇଥିଲେ। ଏହି କାରଣରୁ ନିଆଁ ଲାଗିଥିବା ପ୍ରକୋଷ୍ଠରେ ଥିବା ଅଧିକାଂଶ କଏଦୀଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ସେଠାରେ ଥିବା ଦୁଇ ଜଣ ଗାର୍ଡଙ୍କୁ ମଧ୍ୟ କଏଦୀମାନେ ପଣବନ୍ଦୀ କରି ନେଇଥିଲେ।

ଏହାକୁ କେନ୍ଦ୍ର କରି ପ୍ରତିପକ୍ଷ ଗୋଷ୍ଠୀ ନିଆଁ ଲଗାଇଥିବା ଗୋଷ୍ଠୀର ସଦସ୍ୟମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ପ୍ରାୟ ୫୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କିଛି କଏଦୀଙ୍କ ମୁଣ୍ଡରୁ ଗଣ୍ଡି ମଧ୍ୟ ଅଲଗା ହୋଇଯାଇଛି। ଜେଲର ଅନ୍ତେବାସୀମାନେ କଟା ମୁଣ୍ଡକୁ ଗୋଇଠା ମାରି ଉତ୍ସବ ମନାଉଥିବା ଦୃଶ୍ୟ ମଧ୍ୟ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି। ତେବେ ଏହି ଭିଡିଓର ସତ୍ୟାସତ୍ୟ ବିଷୟରେ ଜଣାପଡ଼ିନାହିଁ।
ମେ’ ମାସରେ ମଧ୍ୟ ବ୍ରାଜିଲର ଏକ ଜେଲରେ ରକ୍ତାକ୍ତ ସଂଘର୍ଷ ଯୋଗୁ ୫୫ ଜଣ କଏଦୀ ପ୍ରାଣ ହରାଇଥିଲେ।

By amfnews

Related Post