Thu. Oct 15th, 2026

ଜିମ୍‌ରେ ଓ୍ଵାର୍କ ଆଉଟ୍‌ ବେଳେ ଯୁବକଙ୍କର ମୃତ୍ୟୁ

223 Views

ଥାନେ, ଜାନୁଆରୀ ୨୦ : ମହାରାଷ୍ଟ୍ରର ଥାନେରେ ଏକ ଜିମ୍‌ରେ ୨୮ ବର୍ଷୀୟ ଯୁବକ ବ୍ୟାୟାମ କରୁଥିବା ବେଳେ ପ୍ରାଣ ହରାଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେ ଓ୍ଵାର୍କଆଉଟ୍‌ କରିବାବେଳେ ବେହୋଶ ହୋଇଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷିତ କରିଥିଲେ। ଯୁବକଙ୍କର ମୃତ୍ୟୁ ପଛରେ ହୃଦ୍‌ଘାତର କାରଣ ଥିବା ବୋଲି କୁହାଯାଉଛି।
ପ୍ରାପ୍ତ ସୂଚନା ଅନୁଯାୟୀ,ବ୍ୟବସାୟୀ ପ୍ରତୀକ ପରଦେଶୀ ଉକ୍ତ ଜିମ୍‌କୁ ଅନେକ ଦିନ ଧରି ଆସୁଛନ୍ତି। ସେ ବେଞ୍ଚ ପ୍ରେସ ମେସିନ୍‌ରେ ସେସନ୍‌ ସମୟରେ ହଠାତ୍‌ ଅସୁସ୍ଥ ହୋଇଗଲେ । ତାଙ୍କର ବିଶ୍ରାମ ନେବା ପାଇଁ କୁହାଗଲା। ସେ ଆରାମ କରିବା ସମୟରେ ତାଙ୍କର ଦେହ ଆହୁରି ଅଧିକ ଖରାପ ହୋଇଗଲା। ତା’ପରେ ପ୍ରତୀକଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ମୃତ ଘୋଷିତ କରିଥିଲେ ଡାକ୍ତର। ପ୍ରତୀକ ଜଣେ ପରିବା ହୋଲସେଲ୍‌ ବିକ୍ରେତା। ସେ ପ୍ରାୟ ସପ୍ତାହକ ପରେ ଜିମ୍‌କୁ ଆସିଥିଲେ। ପୋଷ୍ଟମର୍ଟମ୍‌ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ତାଙ୍କର ହୃଦଘାତ ହେତୁ ମୃତ୍ୟୁ ହୋଇଥିବା ଜଣାଯାଇଛି।

By amfnews

Related Post