Fri. May 15th, 2026

ଜାମିନ୍‌ ପାଇଲେ ଚିଦାମ୍ବରମ, କିନ୍ତୁ ଜେଲରେ ରହିବେ

323 Views

ନୂଆଦିଲ୍ଲୀ  :   ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଆଜି ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଅଗଷ୍ଟ ୨୧ରୁ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି।

ତେବେ ଜାମିନ୍‌ ପାଇଥିଲେ ହେଁ ଚିଦାମ୍ବରମ ଏବେ ଜେଲରୁ ମୁକୁଳି ପାରିବେ ନାହିଁ। କାରଣ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରୁଜୁ କରିଥିବା ମନିଲଣ୍ଡରିଂ ମାମଲାରେ ସେ ଗିରଫ ହୋଇଛନ୍ତି। ତାଙ୍କୁ ୨୪ ତାରିଖ ଯାଏ ଏହି ମାମଲାରେ ଇଡି ନିଜ ହେପାଜତରେ ରଖିବ। ଅବଶ୍ୟ ୨୪ ତାରିଖରେ ଚିଦାଙ୍କ ଜାମିନ୍‌ ଆବେଦନର ଶୁଣାଣି ରହିଛି। ଯଦି ସେଦିନ ତାଙ୍କୁ ଜାମିନ ମିଳିବ, ତା’ହେଲେ ସେ ଜେଲରୁ ମୁକୁଳି ପାରିବେ।

ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ୍‌ ଆର ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଚିଦାଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ। ଖଣ୍ଡପୀଠ ତାଙ୍କୁ ଜାମିନ୍‌ ଦେଇଥିଲେ ହେଁ ଘଟଣାର ତଦନ୍ତରେ ସେ ପୂର୍ଣ୍ଣ ସହଯୋଗ କରିବାକୁ ସର୍ତ୍ତ ରଖିଛନ୍ତି। ସେହିପରି ତଦନ୍ତକାରୀ ସଂସ୍ଥା ତାଙ୍କୁ ଜେରା ପାଇଁ ଯେତେବେଳେ ବି ଡାକିବ, ସେ ତୁରନ୍ତ ହାଜର ହେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଲିକା ବଳରେ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ଜାମିନ୍‌ ପାଇଥିଲେ ହେଁ ଚିଦାମ୍ବରମ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ି ବାହାରକୁ ଯାଇପାରିବେ ନାହିଁ। କୋର୍ଟ କହିଛନ୍ତି, ଆମେ କେବଳ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଜାମିନ୍‌ ଦେଇଛୁ। ତାଙ୍କ ବିରୋଧରେ ରୁଜୁ ହୋଇଥିବା ଅନ୍ୟ ମାମଲାରେ ଏହି ନିୟମ ଲାଗୁ ହେବନାହିଁ।

ସେପ୍ଟେମ୍ବର ୩୦ରେ ଚିଦାମ୍ବରମ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ହେଲେ ଏହାକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ଏହା ବିରୋଧରେ ଚିଦାମ୍ବରମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଚିଦାମ୍ବରମଙ୍କ ଦେଶର ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆରେ ବିଦେଶ ପୁଞ୍ଜି ନିବେଶ ପାଇଁ ଅନୁମତି ଦେଇଥିଲେ। ତେବେ ଏହି ସମୟରେ ସେ ବିଦେଶ ପୁଞ୍ଜି ନିବେଶ ପାଇଁ ପ୍ରଚଳିତ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ସିବିଆଇ ତାଙ୍କୁ ଅଗଷ୍ଟ ୨୧ରେ ଗିରଫ କରିଥିଲା। ଏହାପରେ ରିମାଣ୍ଡରେ ନେଇ ଜେରା କରିଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟ ତାଙ୍କୁ ତିହାର ଜେଲକୁ ପଠାଇ ଦେଇଥିଲେ। ଏବେ ବି ସେ ତିହାର ଜେଲରେ ହିଁ ରହିଛନ୍ତି।

By amfnews

Related Post