Sat. Aug 29th, 2026

ଜମ୍ମୁ-କଶ୍ମୀରରେ ‘ଜରୁରୀ ପରିସ୍ଥିତି’ କଥା ଚିଠିରେ ଲେଖିଥିବା ଅଧିକାରୀ ବଦଳିଲେ

225 Views

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ୧୦ ହଜାର ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଜମ୍ମୁ-କଶ୍ମୀରରେ ଭୟଙ୍କର ଜରୁରିକାଳୀନ ସ୍ଥିତି ସୃଷ୍ଟି ହେବ ଏବଂ ୪ ମାସ ଯାଏ ଖାଦ୍ୟ ସାମଗ୍ରୀ କିଣିବାକୁ ଚିଠି ଲେଖିଥିବା ଆରପିଏଫ୍‌ ଅଫିସର ସୁଦେଶ ନୁଗ୍ୟଲଙ୍କୁ ଆଜି ବଦଳି କରାଯାଇଛି।

ସେ ବଡ଼ଗାମରେ ଆସିସଷ୍ଟାଣ୍ଟ ସୁରକ୍ଷା କମିଶନର ଭାବେ କାର୍ଯ୍ୟ କରୁଥିଲେ। ହେଳେ ରେଳ ବିଭାଗ ପକ୍ଷରୁ ତାଙ୍କୁ ବଦଳି କରାଯାଇଛି। ଏଭଳି ଚିଠି ଲେଖିବାକୁ ସୁଦେଶଙ୍କ ଅଧିକାର ନାହିଁ। ହେଲେ ସେ ଚିଠି ଲେଖି ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଥିଲେ। ତେଣୁ ପ୍ରଶାସନିକ ସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ବଦଳି କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସୁଦେଶ ନୁଗ୍ୟଲ ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ  ଚିଠି ଲେଖି  କହିଥିଲେ ଯେ ବର୍ତ୍ତମାନ କଶ୍ମୀର ସ୍ଥିତି ବିଗିଡ଼ିବାକୁ ଯାଉଛି। ତେଣୁ କର୍ମଚାରୀମାନେ ୪ ମାସର ସଉଦା ଆଗୁଆ କିଣି ଆଣି ଘରେ ରଖିବା ଦରକାର। ଏଥିସହ ଯଦି ପାରୁଛ ତା’ହେଲେ ପରିବାର ଲୋକଙ୍କୁ ଘାଟି ପାର କରି ଅନ୍ୟତ୍ର କେଉଁଠି ରଖି ଆସ ବୋଲି ସେ ଚିଠିରେ ପରାମର୍ଶ ଦେଇଥିଲେ। ସୋଶାଲ ମିଡିଆରେ ଆରପିଏଫ ଅଧିକାରୀଙ୍କ ଏହି ଚିଠି  ଭାଇରାଲ ହୋଇଥିଲା।

ତେବେ ରେଳ ଅଧିକାରୀଙ୍କ ଏହି ଚିଠି ସରକାରୀ ନୁହେଁ ବୋଲି ରେଳ ବୋର୍ଡର ମୁଖପାତ୍ର ସ୍ପଷ୍ଟ କରିଥିଲେ। ଚିଠି ଲେଖିଥିବା ଅଧିକାରୀଙ୍କର ତଳ ସ୍ତରର କର୍ମଚାରୀଙ୍କୁ କୌଣସି ପରାମର୍ଶ ଦେବାର ଅଧିକାର ନାହିଁ। ସେ ଲେଖିଥିବା ଚିଠିରେ ରେଳ ବୋର୍ଡର ମୁଖ୍ୟ ଅଧିକାରୀଙ୍କ ଦସ୍ତଖତ ମଧ୍ୟ ନଥିଲା। ଚିଠି ଲେଖିଥିବା ଅଧିକାରୀ ପାଠ ପଢ଼ିବା ପାଇଁ ଏବେ ଏକ ବର୍ଷ ପାଇଁ ଛୁଟିରେ ଅଛନ୍ତି ବୋଲି ରେଳ ବୋର୍ଡ ସ୍ପଷ୍ଟୀକରଣରେ କହିଥିଲା।

By amfnews

Related Post