Fri. Apr 24th, 2026

ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୨ ମୃତ, ୧୦ରୁ ଅଧିକ ଆହତ

331 Views

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିମିରିସେଣା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ସୁରେନ୍ଦ୍ର ଭୋଇ ଓ କାଳିଆ ଭୋଇ ନାମକ ଦୁଇଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବାର ଖବର ମିଳିଛି।

ଏଣେ ବ୍ରହ୍ମଗିରି ଥାନା ପୁଲିସ ୫ଜଣଙ୍କୁ ଧରିନେଇଛି। ଉତ୍ତେଜନା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଘର ପାଖରେ ଏକ ପାଣିକଳ ବସାଇବା ଲାଗି ଦୁଇ ପରିବାର ଭିତରେ କନ୍ଦଳ ବେଶ କିଛି ଦିନ ହେବ ଲାଗି ରହିଥିଲା। ଗତକାଲି ଅମିନ ଆସି ଜମିଜମା ମାପିବା ପରେ ଦୁଇ ପରିବାର ଭିତରେ ଜମିଜମା ଗଣ୍ଡଗୋଳର ସମାଧାନ ହୋଇଥିଲା। କିନ୍ତୁ ଆଜି ସକାଳେ ଉଭୟ ପରିବାରର ମହିଳାମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉଭୟ ପରିବାରର ଲୋକେ ତେଣ୍ଟା ଓ ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିଥିଲେ।

ଏଥିରେ ସୁରେନ୍ଦ୍ର ଭୋଇ ଓ କାଳିଆ ଭୋଇ ନାମକ ଦୁଇଜଣ ବ୍ୟକ୍ତି ଗୁରୁତର ହୋଇଥିଲେ। ଏମାନଙ୍କ ଭିତରୁ ସୁରେନ୍ଦ୍ର ଭୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁବରଣ କରିଥିବା ବେଳେ କାଳିଆ ଭୋଇଙ୍କର କେରାଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଘଟଣାରେ ୧୦ରୁ ଅଧିକ ଆହତ ହୋଇ କେରାଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ରେବୁଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବାର ଖବର ମିଳିଛି।

By amfnews

Related Post