Thu. May 14th, 2026

ଛାତ୍ରୀଙ୍କ ବେକ କାଟି ଦେଲେ ଟ୍ୟୁସନ୍ ସାର୍

268 Views

ଜଳେଶ୍ୱର : ନାବାଳିକା କଲେଜ ଛାତ୍ରୀଙ୍କ ବେକ କାଟିଦେଲେ ଟିଉସନ୍ ସାର୍। ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ଭୋଗରାଇ ବ୍ଲକ୍‌ ଦେହୁଡ଼ଦା ଗାଁରେ । ଅଭିଯୁକ୍ତ ଶିକ୍ଷକଙ୍କ ନାଁ ବିଶ୍ୱଜିତ୍‌ ନାଥ ଓରଫ୍ ପିଲୁ। ତାଙ୍କ ଘର ବି ସେଇ ଦେହୁଡ଼ଦା ଗାଁରେ।

ବିଶ୍ୱଜିତ୍‌ ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ଏଥିସହ ସେ ବିଭିନ୍ନ ସ୍ଥାନରେ ପିଲାଙ୍କୁ ଟିଉସନ୍‌ ମଧ୍ୟ କରନ୍ତି। ସେ ଗତକାଲି ରାତି ପ୍ରାୟ ୯ଟା ବେଳେ ଗାଁର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଟିଉସନ୍‌ କରୁଥିଲେ। ଏହି ସମୟ ଏକ ଧାରୁଆ ଅସ୍ତ୍ରରେ ସେ ଛାତ୍ରୀଙ୍କ ବେକ ଓ ଡାହାଣ ହାତ ପାପୁଲି କାଟି ଦେଇଥିଲେ। ଏହାପରେ ସେ ବାଇକ୍ ଛାଡ଼ି ସେଠାରୁ ଫେରାର ହୋଇଯାଇଥିଲ।

ପରିବାର ଲୋକେ ଛାତ୍ରୀ ଜଣଙ୍କୁ ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ଏ ଘଟଣା ନେଇ ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏକ ମାମଲା ରୁଜୁ କରି ବିଶ୍ୱଜିତଙ୍କ ବାଇକ୍‌କୁ ଜବତ କରିଛି ଓ ତାଙ୍କୁ ଖୋଜୁଛି।

By amfnews

Related Post