Tue. Sep 8th, 2026

ଚିଲିକାରେ ବାର୍ଡ ଫ୍ଲୁ’ ଆଶଙ୍କା : ନଳବଣକୁ ଆଜି ଯିବ ଏଡିଆରଆଇ ଟିମ୍

353 Views

ବ୍ରହ୍ମଗିରି, ଡିସେମ୍ବର ୧୩ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଚିଲିକା ନୂଆପଡା ରେଞ୍ଜ ଅନ୍ତର୍ଗତ ସିଆଳ ଜଙ୍ଗଲ ଓ ଅଲଣ୍ତାପାଟଣା ଛକଠାରେ କାଉ ମଡ଼କ ପରେ ଚିଲିକାରେ ଏହାର କ’ଣ ପ୍ରଭାବ ରହିଛି ସେ ସଂପର୍କରେ ଅନୁଧ୍ୟାନ କରିବା ପାଇଁ ଏଡିଆରଆଇର ଏକ ବିଶେଷଜ୍ଞ ଟିମ୍‌ ଆସନ୍ତାକାଲି ଚିଲିକା ନଳବଣକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷଜ୍ଞ ଟିମ୍‌ର ଗସ୍ତକୁ ନେଇ ଆଜି ଚିଲିକା ବନ୍ୟପ୍ରାଣୀ ଡିଭିଜନ୍‌ର ବାଲୁଗାଁଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ପ୍ରାଣୀ ଚିକିତ୍ସାଳୟ ଏବଂ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଚିଲିକାରେ ବିଦେଶାଗତ ଅତିଥି ପକ୍ଷୀଙ୍କ ମୃତଦେହ ଠାବ ହୋଇଛି କି ନାହିଁ କିମ୍ବା ଅନ୍ୟ କେଉଁଠି କାଉ, ପାରା ମରିଛନ୍ତି ସେ ନେଇ ବୈଠକରେ ତର୍ଜମା ହୋଇଛି। ପକ୍ଷୀ ଅଭୟାରଣ୍ୟ ନଳବଣର ସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇଛି। କୋଣାର୍କ ଚନ୍ଦ୍ରଭାଗା ଉପକୂଳରେ ବିଦେଶାଗତ ଅତିଥି ପକ୍ଷୀଙ୍କ ମୃତ୍ୟୁ ପରେ ବାର୍ଡ ଫ୍ଲୁ’ ଆଶଙ୍କା ଘନୀଭୂତ ହୋଇଛି। ଏବେ ଚିଲିକାରେ ୩ ଲକ୍ଷରୁ ଅଧିକ ବିଦେଶାଗତ ଅତିଥି ପକ୍ଷୀ ଡେରା ପକାଇଛନ୍ତି।

ଏ ସଂପର୍କରେ ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଗିରିଜା ପଟ୍ଟନାୟକ କହିଛନ୍ତି ଯେ, ଜିଲ୍ଲାରୁ ଆଜି ସୁଦ୍ଧା ୫ ଶହ କୁକୁଡା ଓ ବତକର ସାମ୍ପୁଲ ସମେତ ଚନ୍ଦ୍ରଭାଗାରେ ମରିଥିବା ଏକ ବିଦେଶାଗତ ପକ୍ଷୀର ସାମ୍ପୁଲକୁ ଏଡିଆରଆଇକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ’ ଅଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି।

By amfnews

Related Post