Fri. Apr 24th, 2026

ଚିକିତ୍ସିତ ହେବାକୁ ଘରୁ ଆସିଥିଲେ, ଦୁର୍ଘଟଣା ନେଲା ଜୀବନ

195 Views

କରଂଜିଆ :  ଚିକିତ୍ସିତ ହେବାକୁ ଆସୁଥିଲେ କଟକ। ହେଲେ ବାଟରେ ଦୁର୍ଘଟଣା ଘଟି ଚାଲିଗଲା ଜୀବନ।  କିନ୍ତୁ ରୋଗୀକୁ ଧରି ଆସୁଥିବା ଜଣେ ପୁରୁଷ ଓ ମହିଳା ଏବେ କଟକ ବଡ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ମୟୂରଭ୍ଞ୍ଜ ଜିଲ୍ଲା କରଞ୍ଜିଆର ଝରାଡ଼ିଠାରେ ଘଟିଛି।

ଗତ କାଲି ବିଳମ୍ବିତ ରାତିରେ ଝରାଡ଼ିରୁ ଏକ ସ୍କର୍ପିଓରେ ଜଣେ ଗୁରୁତର ରୋଗୀଙ୍କୁ ତାଙ୍କ ପୁତୁରା, ଭଉଣୀ ଓ ଅନ୍ୟ ଜଣେ ସମ୍ପର୍କୀୟ କଟକ ବଡ ମେଡିକାଲ ଆଣୁଥିଲେ। ହେଲେ କୁଡୁମା ଛକ ନିକଟରେ ଦ୍ରୁତ ଗତିରେ ଯାଉଥିବା ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ସ୍ଥାନୀୟ ଲୋକେ ପହଞ୍ଚି ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ସମସ୍ତଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଗୁରୁତର ରୋଗୀଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଦୁର୍ଘଟଣାରେ ମୃତକଙ୍କ ଭଉଣୀ ଓ ପୁତୁରା ଗୁରୁତର ହୋଇଥିବା ବେଳେ ଡ୍ରାଇଭର ଓ ଅନ୍ୟ ଜଣେ ସମ୍ପର୍କୀୟ ଗୁରୁତର ହୋଇ ପଡ଼ିଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପୁତୁରାଙ୍କର ସଜ୍ଞା ଫେରି ନ ଥିବା ବେଳେ  ଗୁରୁତର ମହିଳାଙ୍କ ବାମ ହାତ ଓ ଗୋଡ଼ ଭାଙ୍ଗିଯାଇଥିବା ସୂଚନା ମିଳିଛି।

By amfnews

Related Post