Sun. Apr 26th, 2026
257 Views

ତେଲକୋଇ :  ଚୋରି କରି ଖସି ପଳାଇଥିବା ଚୋରକୁ ଧରା ପକାଇଲା ଚପଲ। ଚୋରି କରି ତରତରରେ ପଳାଇଥିବା ଚୋର ଘଟଣାସ୍ଥଳରେ ଛାଡ଼ିଯାଇଥିଲା ଚପଲ। ହେଲେ ଏହାଯେ ତାକୁ ପୁଲିସ୍‌ ହାତରେ ଧରା ପକାଇବା ତାହା ଭାବି ନ ଥିଲା ଚୋର। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ ତେଲକୋଇରେ ଘଟିଥିବା ଏପରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ୨୦ତାରିଖ ରାତିରେ ତେଲକୋଇ ଉଚ୍ଚ ବିଦ୍ୟାଳୟ ପାଖରେ ରହୁଥିବା ପଞ୍ଚାନନ ସାମନ୍ତରାୟଙ୍କ ଘର କବାଟ ଭାଙ୍ଗି କେହି ସୁନା, ଗହଣା, ମୋବାଇଲ, ଟ୍ରଲି ବ୍ୟାଗ ଆଦି ଜିନିଷପତ୍ର ଚୋରି କରିନେଇଥିଲା । ଏନେଇ ପଂଚାନନ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ।  ପ୍ରାଥମିକ ତଦନ୍ତ ବେଳେ ପୁଲିସ୍‌ ପଂଚାନନଙ୍କ ଘର ପଛ ପଟ ଏକ ଜମିରୁ ଟ୍ରଲି ବ୍ୟାଗ ପାଇଥିଲା ।  ସେଥିରେ କିଛି ନଥିବା ବେଳେ ପାଖରେ ଏକ ଚପଲ ପ଼ଡିଥିଲା।  ଏହି ଚପଲକୁ ଆଧାର କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା।

ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଚାଲିଥିବା ବେଳେ ସନ୍ଧାନୀ କୁକୁର ଚପଲ ଶୁଙ୍ଗି ଚୋର ନିକଟକୁ ବାଟ କଢାଇ ନେଇଥିଲା।  ଆଉ ଶେଷରେ ତେଲକୋଇ ଭୁୟାଁସାହିର ଧର୍ମେନ୍ଦ୍ର ପଲେଇଙ୍କ ଘରକୁ ଯାଇଥିଲା । ସେଠାରେ ପୁଲିସ୍‌ ସର୍ଚ୍ଚ କରିବା ପରେ ପ୍ରଥମେ ଚୋରି ହୋଇଥିବା ମୋବାଇଲ ଫୋନ ପାଇଥିଲା । ଚୋରି ଅଭିଯୋଗରେ ଧର୍ମେନ୍ଦ୍ରକୁ ପୁଲିସ ଗିରଫ କରିଥିଲା।

By amfnews

Related Post