Mon. Aug 24th, 2026

ଗୋଟିଏ ଦିନରେ ୨ ଛାତ୍ରୀଙ୍କୁ ଅପହରଣ

643 Views

ଅଭିଯୋଗ ଅନୁଯାୟୀ ୟୁନିଟ୍‌-୧ ଅଞ୍ଚଳରେ ପଢ଼ୁଥିବା ଛାତ୍ରୀ ଜଣକ ରବିବାର ସନ୍ଧ୍ୟାରେ ସପିଂ ପାଇଁ ମାର୍କେଟକୁ ଆସିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଖୋଜଖବର ନପାଇବାରୁ ଥାନାରେ ଅଭିଯୋଗ କରିଛନ୍ତି। ଏକ ତରଫା ଭାବେ ଭଲ ପାଉଥିବା ଓ ବିଭିନ୍ନ ସମୟରେ ହଇରାଣ କରୁଥିବା ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଥିବା ପରିବାର ଲୋକ ସନ୍ଦେହ କରିଛନ୍ତି।

ସେହିପରି ରବିବାର ସହିଦନଗର ସ୍ଥିତ ମହିଳା ଶିକ୍ଷାନୁଷ୍ଠାନର ୪ଜଣ ଛାତ୍ରୀ ହଷ୍ଟେଲ୍‌ରୁ ବାହରକୁ ଯାଇଥିଲେ। ତିନି ଜଣ ଛାତ୍ରୀ ହଷ୍ଟେଲ୍‌କୁ ଫେରିଥିବା ବେଳେ ଜଣେ ଛାତ୍ରୀ ଫେରି ନଥିଲେ। ରବିବାର ବିଳମ୍ବିତ ରାତିରେ ଛାତ୍ରୀଙ୍କ ବାପା ତାଙ୍କୁ କଲ୍ କରିଥିଲେ। ହେଲେ ତାଙ୍କ ମୋବାଇଲ୍ ବନ୍ଦ ଥିଲା। ପର ଦିନ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ନହେବାରୁ ଛାତ୍ରୀଙ୍କ ବାପା ସ୍ଥାନୀୟ ଅଭିଭାବକଙ୍କ ସହ ଯୋଗାଯୋଗ କରିଥିଲେ। ଅଭିଭାବକ ଜଣଙ୍କ ଶିକ୍ଷାନୁଷ୍ଠାନକୁ ଆସି ପଚରାଉଚରା କରିବାରୁ ସେ ହଷ୍ଟେଲ୍‌ରେ ନଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ହଷ୍ଟେଲ୍‌ରେ ପହଞ୍ଚି କର୍ତୃପକ୍ଷଙ୍କୁ ପଚରାଉଚରା କରିବା ସହ ରେଜିଷ୍ଟର୍‌ ଓ ସିସିଟିଭି ଯାଞ୍ଚ କରିଥିଲା। ତେବେ ରେଜିଷ୍ଟର୍‌ରେ ୩ଜଣ ଛାତ୍ରୀଙ୍କ ଦସ୍ତଖତ ଥିବା ବେଳେ ନିଖୋଜ ଥିବା ଛାତ୍ରୀଙ୍କ ଦସ୍ତଖତ ନଥିଲା। ପୁଲିସ ୨ଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆଖପାଖ ଅଞ୍ଚଳରେ ଥିବା କେତେକ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଛାତ୍ରୀ ଦ୍ବୟଙ୍କ ମୋବାଇଲ ନମ୍ବର ଟ୍ରାକିଂ କରି ତଦନ୍ତ ଜାରି ରଖିଛି।

By amfnews

Related Post