Tue. Aug 4th, 2026

ଗୃହ କମିଟି ନିକଟରେ କ୍ଷମା ମାଗିଲେ ଅଭିଜିତ ଆୟାର : ନଭେମ୍ବର ୨ରେ ପୁଣି ଥରେ ହାଜର ହେବାକୁ ନିର୍ଦ୍ଦେଶ

426 Views

‘ନିର୍ବୋଧପଣିଆ’ ଯୋଗୁଁ ଓଡ଼ିଶା ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା କହିଲେ

ସୁତ୍ର ଅନୁସାରେ,  ଗୃହକମିଟିର ସଦସ୍ୟମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ସେ ଓଡ଼ିଶାର କଳା ସଂସ୍କୃତି ଏବଂ ଓଡ଼ିଶାର ବିଧାୟକମାନଙ୍କ ସଂପର୍କରେ ଦେଇଥିବା ମନ୍ତବ୍ୟ ଲାଗି ସେ ଦୁଃଖପ୍ରକାଶ କରିଛନ୍ତି । ଗୃହକମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନ ବାଣରେ ଅପ୍ରସ୍ତୁତ ହୋଇ ଅଭିଜିତ ନିଜର ‘ନିର୍ବୋଧପଣିଆ’ ଯୋଗୁଁ ସେ ଏପରି ମନ୍ତବ୍ୟ ଦେଇଥିବା ପ୍ରକାଶ କରିଥିବା ସୂଚନା ମିଳିଛି । ଭବିଷ୍ୟତରେ ସେ ଏଭଳି ମନ୍ତବ୍ୟରୁ କ୍ଷାନ୍ତ ରହିବେ ବୋଲି କହିଛନ୍ତି । ସୂତ୍ର ଅନୁସାରେ ସେ ‘ଆଇ ଆମ୍‌ ସରି’ କହି ନିଜର ବୟାନ ରଖିବା ଆରମ୍ଭ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଗୃହ କମିଟିର ଅନ୍ୟ ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ବେଳେ ତାଙ୍କ ପାଟି ଖନି ମାରିଯାଉଥିବା ପରିଲକ୍ଷିତ ହୋଇଛି। ଅଭିଜିତଙ୍କୁ କୋଣାର୍କ ମନ୍ଦିର ସଂପର୍କରେ ମନ୍ତବ୍ୟ ଓ ଚିଲିକା ଉପରେ ହେଲିକପ୍ଟର ଉଡାଣ ନେଇ ପ୍ରଶ୍ନ କରାଯାଇଥିଲା। ଗୃହକମିଟିର ସଦସ୍ୟ ବିଧାୟକ ଦେବୀପ୍ରସାଦ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସ ବର୍ମା, ପ୍ରମିଳା ମଲ୍ଲିକ ଓ କନକବର୍ଦ୍ଧନ ସିଂ ଦେଓ ମଧ୍ୟ ବିଭିନ୍ନ ପ୍ରଶ୍ନ କରିଥିବା ସୂଚନା ରହିଛି। ପ୍ରଶ୍ନର ଉତ୍ତର ସମୟରେ ଅଭିଜିତ ଆୟାର ମିତ୍ର ଦେଇଥିବା ମନ୍ତବ୍ୟକୁ ଗୃହ କମିଟି ପକ୍ଷରୁ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଗୃହକମିଟି ବୈଠକ ପରେ ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରର ସହିଦନଗର ଥାନାରେ ଯେଉଁ ମାମଲା ହୋଇଛି ତାହା ଆଧାରରେ ତାଙ୍କୁ ଗିରଫ କରାଯିବା ନେଇ ସମ୍ଭାବନା ରହିଛି। ଗୃହକମିଟି ବୈଠକ ଚାଲିବା ସମୟରେ ଓଡ଼ିଶା ପୁଲିସ ଡିଜିଙ୍କ ଭୁବନେଶ୍ୱର କ୍ୟାମ୍ପ୍‌ ଅଫିସରେ ପୁରୀ ଏସପି ସାର୍ଥକ ଷଢ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ପରବର୍ତ୍ତୀ ଆଇନଗତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଲାଗି ଆଲୋଚନା ହୋଇଥିଲା । ସୂତ୍ର ଅନୁସାରେ ଅଭିଜିତ ଆୟାର ମିତ୍ରଙ୍କୁ ସହିଦ ନଗର ଥାନାରେ ହାଜରେ କରାଯିବ। ଏହା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଓଡ଼ିଶା ପୁଲିସ ଗ୍ରହଣ କରିବ।

By amfnews

Related Post