Sat. Jun 13th, 2026

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ କୁଶଭଦ୍ରାରେ ବୁଡ଼ି ଛାତ୍ର ମୃତ

331 Views

ବାଲିଅନ୍ତା  : ବାଲିଅନ୍ତା ଥାନା ଅଧୀନ କୁଶଭଦ୍ରା ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ଭିଙ୍ଗାରପୁର ଉଚ୍ଚ ପ୍ରାଥମିକ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ବାବୁଲି ବେହେରାଙ୍କ ପୁଅ ବବୁଲଙ୍କ ମୃତ୍ୟୁ ହୋଇଯାଇଛି। ବିସର୍ଜନ ସମୟରେ ବବୁଲ ଓ ଆଉ ଜଣେ ପିଲା ପାଣିରେ ବୁଡ଼ି ଯାଇଥିଲେ। ଅନ୍ୟ ଜଣଙ୍କୁ ସ୍ଥାନୀୟ ଲୋକ ପାଣିରୁ ଉଦ୍ଧାର କରିଥିବା ବେଳେ ବବୁଲ ନିଖୋଜ ହୋଇ ଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଚିକିତ୍ସା ଲାଗି ବବୁଲଙ୍କୁ ପ୍ରଥମେ ଭିଙ୍ଗାରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଡାକ୍ତର ବବୁଲଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନା କେସ ନଂ ୧୮/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସୂଚନାନୁଯାୟୀ ରାମଚନ୍ଦ୍ରପୁର ଗ୍ରାମର ବାବୁଲିଙ୍କ ଦୁଇ ପୁଅ ମଧ୍ୟରୁ ବବୁଲ ହେଉଛନ୍ତି ବଡ଼। ସେ ଅନ୍ୟ ୧୫ ଛାତ୍ରଙ୍କ ସହିତ ଟ୍ୟୁସନ୍‌ରେ ହୋଇଥିବା ପୂଜାର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ କୁଶଭଦ୍ରା ନଦୀକୁ ଯାଇଥିଲେ। ପିଲାଙ୍କ ସହ ଶିକ୍ଷକ ବି ଥିଲେ। ମାତ୍ର ଶିକ୍ଷକଜଣକ ନିଜେ ନଦୀ ଭିତରକୁ ନଯାଇ ନଦୀବନ୍ଧ ଉପରେ ଠିଆ ହୋଇଥିବା ଅଭିଯୋଗ ହୋଇଛି। ଶିକ୍ଷକଙ୍କ ଅବହେଳା ଯୋଗୁଁ ବବୁଲଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ବବୁଲ ପାଣିରେ ବୁଡ଼ି ଯିବା ଦେଖି ଘଟଣାସ୍ଥଳରେ ଶିକ୍ଷକ ଚେତାଶୂନ୍ୟ ହୋଇପଡ଼ିଥିଲେ। ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି। ମୃତ ବବୁଲଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ସମିତି ସଭ୍ୟ ଲକ୍ଷ୍ମୀପ୍ରିୟା ବାରିକ ଓ ବେଣ୍ଟପୁର ପଞ୍ଚାୟତ ସମିତି ସଭ୍ୟ ତ୍ରୈଲୋକ୍ୟ ମଙ୍ଗରାଜ ସୂଚନା ଦେଇଛନ୍ତି ।

By amfnews

Related Post