Thu. Jun 11th, 2026

ଖୋର୍ଦ୍ଧାରେ ଉଦ୍‌ଘାଟିତ ହେଲା ରାଜ୍ୟର ପ୍ରଥମ ମହିଳା କୋର୍ଟ

247 Views

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା କୋର୍ଟ ପରିସରରେ ରାଜ୍ୟର ପ୍ରଥମ ମହିଳା ଫୌଜଦାରୀ ଓ ଦେୱାନୀ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍‌ ସଂଜୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମହିଳା କୋର୍ଟକୁ ଉଦ୍‌ଘାଟନ କରିଛନ୍ତି।

ଖୋର୍ଦ୍ଧା ବାର୍ ଆସୋସିଏସନ୍‌ର ସଭାପତି ପ୍ରାଣକୃଷ୍ଣ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଜଜ୍ ସତ୍ୟନାରାୟଣ ମିଶ୍ର, ହାଇକୋର୍ଟର ଭିଜିଲାନ୍ସ ରେଜିଷ୍ଟାର ଲଳିତ କୁମାର ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ସଂପାଦକ ପ୍ରଦୀପ କୁମାର ଦାସ କୋର୍ଟର ବିଭିନ୍ନ କାର୍ଯ୍ୟ ସମ୍ପର୍କିତ ବିବରଣୀ ପାଠ କରିଥିଲେ। ବାର୍ ଆସୋସିଏସନ୍‌ ସଭାପତି ଶ୍ରୀ ଦଳବେହେରା ଖୋର୍ଦ୍ଧାରେ ଜିଲ୍ଲା ଜଜ୍ କୋର୍ଟ, ପୋକ୍‌ସୋ କୋର୍ଟ, ଭିଜିଲାନ୍ସ କୋର୍ଟ, ପୂର୍ଣ୍ଣକାଳୀନ ସିଜେଏମ୍ କୋର୍ଟ ଓ କିଶୋର ଅଦାଲତର ସ୍ଥାପନାର ଆବଶ୍ୟକତା ସମ୍ପର୍କରେ ଅତିଥିଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ଅତିଥି ଜଷ୍ଟିସ ମିଶ୍ର ନିଜ ବକ୍ତବ୍ୟରେ ରାଜ୍ୟରେ ଏଭଳି ଏକ ମହିଳା କୋର୍ଟ ଖୋର୍ଦ୍ଧାରେ ସ୍ଥାପନ ହେବା ଦ୍ବାରା ତ୍ବରିତ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଶକ୍ତିଶାଳୀ ହେବ ବୋଲି ମତ ଦେଇ ଓକିଲଙ୍କ ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ଯୁଗ୍ମ ସମ୍ପାଦକ ବିକ୍ରମ କେଶରୀ ଛୁଆଳସିଂହ, ପ୍ରଦୀପ୍ତ ରାମ ପ୍ରମୁଖ ପରିଚାଳନା କରିଥିଲେ। ଉପସଭାପତି ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ବାଇଁଙ୍କ ସମେତ ଖୋର୍ଦ୍ଧା କୋର୍ଟର ବିଭିନ୍ନ ବିଭାଗୀୟ ବିଚାରପତି ଉପସ୍ଥିତ ଥିଲେ।

By amfnews

Related Post