Sun. Apr 26th, 2026

ଖସିପଡ଼ିଲା ରାସ୍ତାରେ ଲାଗିଥିବା ବେଆଇନ୍‌ ହୋର୍ଡିଂ, ଚାଲିଗଲା ଯୁବତୀଙ୍କ ଜୀବନ

224 Views

ଚେନ୍ନାଇ  :  ରାସ୍ତାରେ ବେଆଇନ୍‌ ଭାବେ ହୋର୍ଡିଂ ଲଗାଇବାକୁ ମାଡ୍ରାସ ହାଇକୋର୍ଟ ବାରମ୍ବାର ବାରଣ କରିଥିଲେ ହେଁ ପ୍ରଶାସନ ଏହାକୁ ଖାତିର କରୁନାହିଁ। ରାସ୍ତା କଡ଼ରେ ଲାଗିଥିବା ବେଆଇନ୍‌ ହୋର୍ଡିଂ ଯୋଗୁ ଜଣେ ୨୩ ବର୍ଷୀୟ ଯୁବତୀଙ୍କ ଜୀବନ ଯାଇଛି।

ଚେନ୍ନାଇରେ ଘଟିଥିବା ଏଭଳି ଘଟଣା, ପୂରା ଦେଶକୁ ଦୋହଲାଇ ଦେଇଛି। ମାଡ୍ରାସ ହାଇକୋର୍ଟ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୩ ବର୍ଷୀୟ ଛାତ୍ରୀ ଶୁଭଶ୍ରୀ ରବି ଗତକାଲି ନିଜ ସ୍କୁଟିରେ କ୍ରୋମପେଟ୍‌ ସ୍ଥିତ ଘରକୁ ଫେରୁଥିଲେ। ତେବେ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଏକ ହୋର୍ଡିଂ ତାଙ୍କ ଉପରେ ପଡ଼ି ଯାଇଥିଲା। ସେ ଭାରସାମ୍ୟ ହରାଇ ଗାଡ଼ିରୁ ଖସି ପଡ଼ିଥିଲେ। ଏହି ସମୟରେ ପଛ ପଟୁ ଆସୁଥିବା ଏକ ୱାଟର ଟାଙ୍କର ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ବେଳେ ଶୁଭଶ୍ରୀ ହେଲମେଟ୍‌ ପିନ୍ଧି ନଥିଲେ।

ବେଆଇନ୍‌ ହୋର୍ଡିଂ ଯୋଗୁ ଶୁଭଶ୍ରୀଙ୍କ ଜୀବନ ଯାଇଥିବା ପ୍ରଚାର ହେବା ପରେ ଆଜି ମାଡ୍ରାସ ହାଇକୋର୍ଟ ସରକାର ଓ ରାଜନୀତିକ ଦଳଗୁଡ଼ିକ ଉପରେ କ୍ଷୁବ୍ଧ ହୋଇଛନ୍ତି। କୋର୍ଟ କହିଛନ୍ତି, “ବେଆଇନ୍‌ ହୋର୍ଡିଂ ହଟାଇବାକୁ ଆମେ ବାରମ୍ବାର ନିର୍ଦ୍ଦେଶ ଦେଇ ହାଲିଆ ହୋଇଗଲୁଣି। ହେଲେ କେହି ବି ଏହାକୁ ଖାତିର କରୁନାହାନ୍ତି। ଅନେକ ରାଜନୀତିକ ଦଳ କ୍ଷମତାକୁ ଆସୁଛନ୍ତି, ହେଲେ କେହି ବି ବେଆଇନ୍‌ ହୋର୍ଡିଂ ହଟାଇବାକୁ ଚେଷ୍ଟା କରୁନାହାନ୍ତି। ସମସ୍ତେ ନିଜର ପ୍ରଚାର ପାଇଁ ବ୍ୟସ୍ତ।

କୋର୍ଟ ସବୁ କରିଛନ୍ତି, ହେଲେ କେବଳ ସଚିବାଳୟକୁ ଏଠାକୁ ସ୍ଥାନାନ୍ତର କରିନାହାନ୍ତି। ଏବେ କୋର୍ଟ ଅଦାଲତ ଅବମାନନା ମାମଲାର ବିଚାର କରିବେ। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କୁ କଠୋର ଦଣ୍ଡ ବିଧାନ କରାଯିବ।”

By amfnews

Related Post