Fri. Jun 12th, 2026

ଖଳାରେ ଧାନ ଜଗିଥିଲେ; ହାତୀ ହାବୁଡ଼ରେ ପଡ଼ିଗଲେ

266 Views

ବ୍ରହ୍ମପୁର : ଧାନ ଖଳା ଜଗିଥିବା ବେଳେ ଜଣେ ଚାଷୀଙ୍କୁ କଚାଡ଼ି ମାରିଛି ହାତୀ। ତାଙ୍କ ନାଁ ଆଲୁ.ଲାଚ୍ଛେୟା। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିସ୍ଥିତ ସାନାଦାଣ୍ଡ ସାହିରେ।

ସୂଚନାଅନୁସାରେ,  ଦିଗପହଣ୍ଡି -ନିମପଲ୍ଲୀ କେନାଲ ରାସ୍ତା ପାର୍ଶ୍ୱରେ ଥିବା ସୁରେଶ ପଶୁପାଳକଙ୍କ ଖଳାରେ ଅମଳ ଧାନକୁ ଜଗିବା ପାଇଁ ଲାଚ୍ଛେୟା ଏବଂ ନୂଆ ସାହିର କେ. ଅରକ୍ଷିତ ପାତ୍ର ଗତ ରାତିରେ ଯାଇଥିଲେ। ସେମାନେ ଦୁହେଁ ଧାନ ଖଳାରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଶବ୍ଦ ଶୁଣି ଉଭୟେ ନିଦରୁ ଉଠିଥିଲେ।

ଖଳା  ଭିତରକୁ ଷଣ୍ଢ ଆସି ଧାନ ଖାଉଥିବା ଆଶଙ୍କା କରି ଟର୍ଚ୍ଚ ଲାଇଟ ଓ ବାଡ଼ି ଧରି ଉଭୟେ ଘଉଡ଼ାଇବାକୁ ଯାଇଥିଲେ। ଏହି ସମୟରେ ଲାଚ୍ଛେୟା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା ।  ଏହାଦେଖି ଅରକ୍ଷିତ ସେଠାରୁ ଦୌଡ଼ି ପଳାଇଥିଲେ।   ଖବରପାଇ ଲାଚ୍ଛେୟାଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଦିଗପହଣ୍ଡି ତହସିଲଦାର ଓ ବନବିଭାଗ ରେଞ୍ଜର ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସବିଶେଷ ରିପୋର୍ଟ ସଂଗ୍ରହ କରିଛନ୍ତି। ଏଥିସହ ଦିଗପହଣ୍ଡି ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି।

ସେହିପରି ଗତ ଶନିବାର ନନ୍ଦ ଗାଁରେ ହାତୀ ଖଳାରେ ପଶି ଅମଳ ଧାନ ଖାଇ ଦେବା ସହ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା।

By amfnews

Related Post