Thu. Aug 20th, 2026

କୋଇଲା ଖଣିରେ ମାଟି ଧସିବା ଘଟଣା: ଏବେବି ରମେଶଙ୍କ ପତ୍ତା ମିଳୁନି

258 Views

ଅନୁଗୋଳ : ତାଳଚେର ସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବାକୁ ୫ ଦିନ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ସରିନାହିଁ। ଏବେ ମଧ୍ୟ ଜଣଙ୍କ ପତ୍ତା ମିଳୁନି। ଆଜି ଉଦ୍ଧାର କାର୍ଯ୍ୟ ଚାଲୁଥିବା ବେଳେ କୋଇଲା ଖଣିରୁ ଗୋଟିଏ ହାତ ମିଳିଛି। ଏହି ହାତଟି କାହାର, ତାହା ଜଣାପଡ଼ି ନାହିଁ।

ନିଖୋଜ ଥିବା ବ୍ୟକ୍ତି ହେଉଛନ୍ତି ରମେଶ ଦାଶ। ସେଠାରେ ସେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର ଅନୁଗୋଳ ଜିଲ୍ଲାର ତାଳଚେରର ନକେଇପଶି ଗାଁରେ ବୋଲି ଜଣାପଡ଼ିଛି।

ଗତକାଲି ମାଟିତଳେ ଫସି ରହିଥିବା ଦୁଇ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେମାନେ ହେଲେ ପମ୍ପ ଅପ୍‌ରେଟର ରାଜକିଶୋର ମହାପାତ୍ର ଓ ସୁପରଭାଇଜର ରଶ୍ମିରଂଜନ ବେହେରା। ଗତ ୨୪ ତାରିଖରେ ଟ୍ରକ୍ ଡ୍ରାଇଭର ପୁପୁନ ବିଶ୍ୱାଳଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ବ୍ଲାଷ୍ଟିଂ କରାଯାଇଥିଲା। ଫଳରେ ୫୦୦ମିଟର ଯାଏ ମାଟି ଧସି ଯାଇଥିଲା। ଠିକ୍‌ ସେହି ସମୟରେ ୪୦ରୁ ୫୦ ଜଣ ଶ୍ରମିକ ଖଣି ଭିତରେ କାର୍ଯ୍ୟ କରୁଥିଲେ। ଅନ୍ୟ ଶ୍ରମିକମାନେ ସୁରକ୍ଷିତ ଅବସ୍ଥାରେ ସେଠାରୁ ବାହାରି ଆସିଥିବା ବେଳେ ୧୩ ଜଣ ଶ୍ରମିକ ମାଟିତଳେ ଚାପି ହୋଇଯାଇଥିଲେ। ୯ ଜଣ ଶ୍ରମିକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରଯାଇଥିଲା। ନିଖୋଜ ଥିବା ୪ ଜଣ ଶ୍ରମିକଙ୍କ ମଧ୍ୟରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ଜଣେ ନିଖୋଜ ଅଛନ୍ତି। ତାଙ୍କ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି।

 

By amfnews

Related Post