Fri. Apr 24th, 2026

କୋଟିପତି ଧାନକଳ ମାଲିକଙ୍କୁ ‘କାଳିଆ’ ଟଙ୍କା

189 Views

ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ‘କାଳିଆ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ସହାୟତା ହାତେଇବାକୁ ସ୍ୱାମୀ-ସ୍ତ୍ରୀ ଭିନ୍ନେ ହୋଇପଡିଥିବା ବେଳେ ଏବେ କୋଟିପତି ଧାନ କଳ ମାଲିକ ବା ମିଲରଙ୍କୁ ‘କାଳିଆ ଟଙ୍କା ପ୍ରଦାନ କରାଯାଇଥିବା ରୋଚକ ତଥ୍ୟ ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ ଯେ, ରାଜନଗର ବ୍ଲକ ଅନ୍ତର୍ଗତ ସାନବଡ଼ଗୋପାଳପୁର ପଂଚାୟତର ନୁରୂଗାଁରେ ରହିଛି ମା ରାମଚଣ୍ଡୀ ଚାଉଳ କଳ। ସେହି ଗାଁର ଅନାଦି ସାହୁ ଓ ତାଙ୍କର ତିନି ପୁଅ ସନ୍ତୋଷ କୁମାର ସାହୁ, ସମୀର କୁମାର ସାହୁ, ନିରଞ୍ଜନ ସାହୁଙ୍କ ନାମରେ ମିଳିତ ଭାବେ ରହିଛି ଏହି କଳ। ଏହାବାଦ ସନବଡ଼ଗୋପାଳପୁର ଘାଟରୋଡ଼ରେ ତାଙ୍କର ଚୁଡ଼ା କଳ ରହିଛି। ଏହି ଦୁଇଟି କଳର ମାଲିକ ସନ୍ତୋଷ କୁମାର ସାହୁଙ୍କୁ ‘କାଳିଆ’ ଯୋଜନାରେ ସହାୟତା ଯୋଗାଇ ଦିଆଯାଇଛି। ସନ୍ତୋଷ ଉଭୟ ‘କାଳିଆ’ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ହିତାଧିକାରୀ ସାଜି ସହାୟତା ହାତେଇଛନ୍ତି। ବଡ଼ କଥା ହେଲା, ସନ୍ତୋଷଙ୍କ ଅଚଳାଚଳ ସମ୍ପତ୍ତି ସାଙ୍ଗକୁ ଦୁଇ ଦୁଇଟି କଳ ରହିଛି। ସରକାରୀ ଧାନ ମଣ୍ଡିରୁ ଧାନ ଉଠାଇବା ନିମନ୍ତେ ମିଲର ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିପାଇଁ ଗତବର୍ଷ ଜିଲ୍ଲା ଯୋଗାଣ ବିଭାଗରେ  ସେ ୭୦ ଲକ୍ଷ ଟଙ୍କା ଅମାନତ ଜମା ଦେଇଥିଲେ। ଚଳିତ ବର୍ଷ ଏକ କୋଟି ଟଙ୍କା ଅମାନତ ଜମା ଦେବାକୁ ଯୋଗାଣ ବିଭାଗ ଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସମୟ ନେଇଛନ୍ତି। ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ମିଲର କିପରି ‘କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସହାୟତା ହାତେଇଲେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

By amfnews

Related Post