Mon. Oct 5th, 2026
229 Views

ଶ୍ରୀନଗର : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। କୁଖ୍ୟାତ ଆତଙ୍କବାଦୀ ଆଦିଲ ଗୁଲଜାର ଶେଖ ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି। ଜମ୍ମୁ-କଶ୍ମୀରର ବୁଡଗାମ ଅଞ୍ଚଳରେ ସଂଗଠିତ ଏନକାଉଣ୍ଟରରେ ଆଦିଲ ନିହତ ହୋଇଥିବା ଆଜି ସେନା ପକ୍ଷରୁ କୁହାଯାଇଛି।

ଆଦିଲ ହିଜବୁଲ ମୁଜାହିଦ୍ଦିନ ପାଇଁ ଉପତ୍ୟକାରେ କାମ କରୁଥିଲା। ସେ ଜଣେ ପୁଲିସ ଅଫିସର, ସିଆରପିଏଫ ଡାକ୍ତର, ଲେଖକ ଓ ଯେଉଁମାନେ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରୁଥିଲେ ସେମାନଙ୍କୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।

ଗତକାଲି ସନ୍ଧ୍ୟାରେ ଆଦିଲ ବୁଡଗାମର ବେହରାମପୋରା ଅଞ୍ଚଳରେ ଲୁଚି ଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଆଦିଲ ଗୁଳିମାଡ଼ କରିଥିଲା।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏନକାଉଣ୍ଟରରେ ଆଦିଲ ନିହତ ହୋଇଥିଲା। ତା’ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଏକେ ୪୭ ବନ୍ଧୁକ ଜବତ ହୋଇଛି।

By amfnews

Related Post