Fri. Apr 24th, 2026

କୁକୁଡ଼ା ନେଇ ଯାଉଥିବା ମିନିଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ ଓ ଅନ୍ୟ ଦୁଇଜଣ ଆହତ

158 Views

ଅନଗୁଳ: ଗତ ରାତି ପ୍ରାୟ ୩ଟା ବେଳେ କୁକୁଡ଼ା ନେଇ ଯାଉଥିବା ଗୋଟାଏ ମିନିଟ୍ରକ୍‌ ତାଳଚେର ପାଖରେ ଅନ୍ୟ ଏକ ଟ୍ରକ୍‌ ପଛରେ ଧକ୍କା ଖାଇବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।

ମୃତବ୍ୟକ୍ତି ହେଉଛନ୍ତି ମିନିଟ୍ରକ୍‌ ଚାଳକ ଶତ୍ରୁଘ୍ନ ଯାଦବ। ତାଙ୍କ ସହ ଟ୍ରକ୍‌ରେ ଯାଉଥିବା ଆହତ ବ୍ୟକ୍ତିଦ୍ୱୟ ହେଉଛନ୍ତି ମନୋଜ ସାହୁ ଓ କାର୍ତ୍ତିକ ସାହୁ। ଏ ତିନିଜଣଙ୍କର ଘର ପରଜଙ୍ଗରେ। ଅଗ୍ନିଶମ ସେବା କର୍ମଚାରୀମାନେ ଦୁଇ ଆହତ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଏମାନେ OD23H-4449 ନମ୍ବରବିଶିଷ୍ଟ ଗୋଟାଏ ମିନିଟ୍ରକ୍‌ରେ ପରଜଙ୍ଗରୁ କୁକୁଡ଼ା ନେଇ ପାଲଲହଡ଼ା ଦେଇ ଯାଇଥିବା ଜାତୀୟ ରାଜପଥରେ ରାଉରକେଲା ଯାଉଥିଲେ। ପୂର୍ବରୁ ତାଳଚେର ନିକଟରେ ଖରାପ ହୋଇଯାଇଥିବା ଗୋଟାଏ ଟ୍ରକ୍‌ ସେ ରାସ୍ତାପାଖରେ ଠିଆ ହୋଇଥିଲା। ମିନିଟ୍ରକ୍‌ଟି ତା’ପଛରେ ଧକ୍କା ଖାଇବା ଫଳରେ ଘଟଣାସ୍ଥଳରେ ମିନିଟ୍ରକ୍‌ ଡ୍ରାଇଭର୍‌ଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ମିନିଟ୍ରକ୍‌ରେ ଥିବା କିଛି କୁକୁଡ଼ା ମରିଯାଇଛନ୍ତି, କିଛି ପଳାଇ ଯାଇଛନ୍ତି ଓ ବାକି କୁକୁଡ଼ାଙ୍କୁ ଉଦ୍ଧାର କରାଯାଇଛି। ତାଳଚେର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post