Fri. Jul 24th, 2026

କାଳବୈଶାଖୀ କୋପ:ଭାଙ୍ଗିପଡ଼ିଲା ତମ୍ବୁ, ଅଳ୍ପକେ ବର୍ତିଲେ କର୍ମଚାରୀ

328 Views

କାମାକ୍ଷାନଗର: କାମାକ୍ଷାନଗର ଅଞ୍ଚଳରେ ଆଜି ଅପରାହ୍ଣରେ କାଳବୈଶାଖୀ ଝଡ଼ ଯୋଗୁଁ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। କାମାକ୍ଷାନଗର ଟାଉନ ପ୍ରାୟ ୪ ଘଣ୍ଟା ଅନ୍ଧାରରେ ଥିଲା। ତମ୍ବୁ ଭାଙ୍ଗିପଡ଼ିବାରୁ ନିର୍ବାଚନରେ ନିୟୋଜିତ କର୍ମଚାରୀମାନେ ଇଭିଏମ୍‌ ସମେତ ଅନ୍ୟାନ୍ୟ ସାମଗ୍ରୀ ଫେରସ୍ତ କରିବା ବାଧାପ୍ରାପ୍ତ ହୋଇଥିଲା। ସୂଚନା ଅନୁଯାୟୀ, ଅପରାହ୍ଣ ସାଢ଼େ୪ଟାରୁ ସାଢ଼େ୬ଟା ପର୍ଯ୍ୟନ୍ତ ଜୋର୍‌ ପବନ, କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା। ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ।

କାମାକ୍ଷାନଗର ଓ ପର୍ଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ପାଇଁ କାମାକ୍ଷାନଗର କଲେଜରେ ଖୋଲିଥିବା ଅସ୍ଥାୟୀ କାର୍ଯ୍ୟାଳୟ ସମ୍ମୁଖ ତମ୍ବୁ ଝଡ଼ରେ ଭାଙ୍ଗିପଡ଼ିଥିଲା। ନିର୍ବାଚନରେ ନିୟୋଜିତ କର୍ମଚାରୀ ଇଭିଏମ୍‌ ସମେତ ଅାନୁଷଙ୍ଗିକ ସାମଗ୍ରୀ ଫେରସ୍ତ ସେଠାରେ ବ୍ୟବସ୍ଥା ଥିଲା। ଅପେକ୍ଷାରତ କର୍ମଚାରୀମାନେ ଅଳ୍ପକେ ରକ୍ଷା ପାଇଥିଲେ। ବୁଥ୍‌ରୁ ସେମାନେ କ୍ଲାନ୍ତ ହୋଇଫେରିଥିବାବେଳେ ସାମଗ୍ରୀ ଫେରସ୍ତ ବାଧାପ୍ରାପ୍ତ ହେବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋ‌ଷ ପ୍ରକାଶ ପାଇଥିଲା। ରିପୋର୍ଟ ଲେଖା ହେବା ସୁଦ୍ଧା (ରାତି୭ଟା) କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ୬୨% ଓ ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀରେ ୬୪ % ମତଦାନ ହୋଇଥିବା ସୂଚନା ମିଳିଛି।

By amfnews

Related Post